ଯାଜପୁର: ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବଜ୍ରପାଟ ଗାଁରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲୋକନାଥ ଧଳ। ଶୁକ୍ରବାର ସନ୍ଧ୍ୟା ସମୟରେ ଲୋକନାଥ ଧଳ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ନାଗସାପ ତାଙ୍କୁ ଦଂଶିଥିଲା । ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ମଙ୍ଗଳପୁର ଏବଂ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ମଙ୍ଗଳପୁରର ପୂର୍ବତନ ସରପଞ୍ଚ ଶିଶିର ଧଳ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ରାଜ୍ୟ ସଂଯୋଜକ ପ୍ରମୋଦ କୁମାର ସାହୁ ଓ ସହଯୋଗୀ ଜାହାଙ୍ଗୀର ଖାନ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୪ ଫୁଟ ଲମ୍ବର ଏକ ନାଗସାପକୁ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ।










