27.3 C
Bhubaneswar
Thursday, June 11, 2026
Homeଓଡିଶାନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୁଇଟି ତଦନ୍ତ ଫାଇଲ୍ ଗାଏବ୍ ହେବା ଘଟଣା ପଦାକୁ ଆସିଲା ପରେ ଏହା ଏବେ ରାଜନୈତିକ ମୋଡ଼ ନେଇଛି। ବିଶେଷକରି ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏନେଇ ଏତଲା ଦେବାପରେ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି ଏହି ଘଟଣାରେ ବିଜେଡି ମୁହଁ ବନ୍ଦ କରିବା ପାଇଁ ଏବଂ ବର୍ତ୍ତମାନର ଲଗାତାର୍ ସ୍ଥିତିରୁ ନଜର ହଟାଇବା ପାଇଁ ବିଜେପିକୁ ଏକ ବଡ଼ ଅସ୍ତ୍ର ମିଳିଯାଇଛି। ଏଥିରେ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଡ଼କୁ ଅଙ୍ଗୁଳି ଉଠିଛି। ଦୁଇବର୍ଷ ପୂତ୍ତି ବିଜେପି ସରକାର ପାଳନ କରିବା ଯିବା ପୂର୍ବରୁ ବିଜେଡି ଯେଉଁ ବିଫଳତାର ଦୀର୍ଘ ଚିଠା ଆଣୁଛି ତାକୁ ମୁକାବିଲା କରିବା ସହ ଜନମତକୁ ବିଜେଡି ମୁହାଁ କରିବା ଲାଗି ଏହା ଏକ ସୁଚିନ୍ତିତ ରାଜନୈତିକ ଉଦ୍ୟମ ବୋଲି କୁହାଯାଉଛି।

ରାଜ୍ୟରେ ବିଜେପି ସରକାର କ୍ଷମତାଶୀନ ହେବାପରେ ଦିନକୁ ଦିନ ଦେଖାଦେଉଛି ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଯିଏ ଯଉଠି ଯାହାକୁ ପାରୁଛି ହାଣୁଛି, ମାରୁଛି ଓ ଦୁଷ୍କର୍ମ କରୁଛି। ସତେ ଯେପରି ଆଇନ୍‌ଶୃଙ୍ଖଳା ସମ୍ଭାଳିବାରେ ସରକାର ବିଫଳ ହୋଇଛନ୍ତି। ରାତି ପାହିଲେ ଏହି ଘଟଣାମାନ ଘଟିଚାଲିଛି। କେତେକ ଘଟଣାରେ ବିଜେପି ନେତାମାନଙ୍କର ସଂପୃକ୍ତି ଆସୁଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରି ଛବି ମଳିନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥି ସହିତ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ବିରୋଧୀ ଏକାଠି ହୋଇଛନ୍ତି। ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ବିଜେପି ଏବେ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। କେନ୍ଦ୍ରରେ ମୋଦୀ ସରକାରଙ୍କ ୧୨ ବର୍ଷ ପୂତ୍ତି ପାଳନ କରୁଥିବା ବେଳେ ଓଡ଼ିଶାରେ ମୋହନ ସରକାରଙ୍କ ୨ ବର୍ଷ ପୂତ୍ତି ପାଳନ କରାଯାଉଛି। ସରକାର ନିଜର ସଫଳତାକୁ ପ୍ରଚାର ପ୍ରସାର କରୁଥିବା ବେଳେ ଘଟିଥିବା ଘଟଣାମାନଙ୍କୁ ନେଇ ବିରୋଧୀଙ୍କ ଶାଣିତ ଆକ୍ରମଣ ଅଡ଼ୁଆରେ ପକାଉଛି।

କୁହାଯାଉଛି ରାଜ୍ୟରେ ବିଜେପି ଦୁଇବର୍ଷ ହେଲା କ୍ଷମତାକୁ ଆସିଲାଣି।ଏବେ ହଠାତ୍ ପୂର୍ତ୍ତି ପାଳନ ସମୟରେ ଫାଇଲ୍ କଥା କାହିଁକି ମନେପଡ଼ିଲା। ପୂର୍ବରୁ କାହିଁକି ଏକଥା ଉଠିଲା ନାହିଁ। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଅନ୍ତର୍ନିହିତ ରହିଛି। ପ୍ରଥମେ ହଠାତ୍ ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୁଇଟି ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଗାଏବ୍ ହୋଇଥିବା ନେଇ ସୂଚନା ଦେଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନକଲା ବେଳେ ସେ କହିଲେ ଅଭିଯୋଗ ଆସିଲେ ତାହାର ତଦନ୍ତ କରାଯିବ। ଏହାକୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ କେଉଁ ଫାଇଲ୍ ହଜିଛି ସେ ସମ୍ପର୍କରେ କିଛି ସୂଚନା ଦିଆଗଲା ନାହିଁ। ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦେବାପରେ ଜଣାପଡ଼ିଲା ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାର ଦଙ୍ଗା ନେଇ ହୋଇଥିବା ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ଓ ଘରୋଇ ହସ୍ପିଟାଲ ସମ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଆର୍‌ଡିସି ତଦନ୍ତ ରିପୋର୍ଟ ମିଳୁନାହିଁ। ଗତ ସରକାରଙ୍କ ସମୟରେ ଏହି ଘଟଣା ଘଟିଛି। ଆଜି (ଗୁରୁବାର) ବିଜେପି ପକ୍ଷରୁ ଏବଂ ରାଜସ୍ୱ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଅଧିକ ସ୍ପଷ୍ଟ କରିଛନ୍ତି ଯେ ୨୦୨୪ ଜୁନ୍‌ରେ ନିର୍ବାଚନ ଫଳାଫଳ ପୂର୍ବରୁ ମୁଖ୍ୟଶାସନ ସଚିବଙ୍କ ମାଧ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଦୁଇଟି ଫାଇଲ୍ ଯାଇଥିଲା। ତାହା ଆଉ ପରେ ଫେରି ନାହିଁ। ୨୦୨୫ରେ ଦୁଇଥର ଘରୋଇ ବିଭାଗ ପକ୍ଷରୁ ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖାଯାଇଥିଲା। ହେଲେ ଏଯାଏଁ କୌଣସି ସନ୍ତୋଷଜନକ ଉତ୍ତର ଆସିନାହିଁ ବା ଫାଇଲ୍ ବିଷୟରେ କିଛି ସୂଚନା ଦିଆଯାଇ ନାହିଁ। ଏହି ଫାଇଲ୍ ଗାଏବ୍ ହେବା ନେଇ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଭାବେ ବିଜେପି ଏବେ କାଠଗଡ଼ାକୁ ଟାଣିଛି। କାଗଜପତ୍ରରେ ନବୀନଙ୍କ ପାଖକୁ ଫାଇଲ୍ ଯିବାର ବଳିଷ୍ଠ ପ୍ରମାଣ ରହିଛି। ଏଣୁ ଏହାକୁ ସେ ଏଡ଼ାଇ ପାରିବେ ନାହିଁ। ଏ ସମ୍ପର୍କରେ ନବୀନ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଦୁଇବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ବିଜେପି ନବୀନଙ୍କୁ ସାଧାରଣରେ ନିନ୍ଦିତ କରିବା ପାଇଁ ଏକ ସଫଳ ପ୍ରୟାସ କରିଛି। ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଥିବା  ଭି. କେ. ପାଣ୍ଡିଆନ ସରକାରୀ ଚାକିରୀ ରୁ ଇସ୍ତଫା ଦେଇସାରିଥିଲେ । .ଥାନାରେ ଏତଲା ଦିଆଯାଇଥିବାରୁ ସେ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ରେ ଥିବା ଅଧିକାରୀମାନେ ଏବଂ ନବୀନ ବି ପୋଲିସ ଜେରାର ସମ୍ମୁଖିନ ହେବାର ସମ୍ଭାବନା ଦେଖାଦେଇଛି। ନବୀନ ଏହାର କ’ଣ ଜବାବ ଦେଉଛନ୍ତି ଏବଂ ଆଗାମୀ ଦିନରେ ଧର୍ମେନ୍ଦ୍ର ଓ ବିଜେପି ବିରୋଧୀ କାର୍ଯ୍ୟକ୍ରମ ବିଜେଡିର କ’ଣ ରହୁଛି ତାହା ଉପରେ ନଜର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking