ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଉଁଶଆପୋଖରୀ ପଞ୍ଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମରେ ବଜ୍ରାଘାତ ଯୋଗୁଁ ଦିୟର ଓ ଭାଉଜଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗ୍ରାମର ଗଣେଶ୍ୱର ସାହୁ (୬୪) ଓ ତାଙ୍କ ଭାଉଜ ସୁବାସିନୀ ସାହୁ (୬୦)। ସୋମବାର ଅପରାହ୍ଣ ପ୍ରାୟ ୨.୩୦ ମିନିଟରେ ଉଭୟ ସାମାନ୍ୟ ପବନରେ ଆମ୍ବ ଗୋଟାଇବାକୁ ଯାଇଥିବା ସମୟରେ ହଠାତ ବିଜୁଳି ଘଡଘଡି ମାରିଥିଲା। ଏହି ସମୟରେ ଉଭୟ ଏକ ଆମ୍ବଗଛ ମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ଉଭୟ ଦିଅର ଓ ଭାଉଜ ଗଛ ମୂଳେ ଟଳି ପଡ଼ିଥିଲେ। କିଛି ଗ୍ରାମବାସୀ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଖବରପାଇ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଶୋକବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନ ଜଣାଇଛନ୍ତି। ଏପରିକି ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଉଭୟ ସାଂସଦ ଓ ବିଧାୟିକା ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ତହସିଲଦାର ଦିଲୀପ କୁମାର ସେଠୀଙ୍କ ସହ ଆଲୋଚନା କରିଛନ୍ତି।










