-ଭାଙ୍ଗିଲା ବଡ଼ ବଡ଼ ବିଲ୍ଡିଂ, ଫାଟିଗଲା ରାସ୍ତାଘାଟ
-୨ ଘଣ୍ଟାରେ ୧୩୮ ଥର ମୃଦୁ ଝଟକା, ସୁନାମୀ ସତର୍କତା
ମାନିଲା: ଫିଲିପାଇନ୍ସରେ ସୋମବାର ସକାଳେ ୭.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହାଫଳରେ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ କୋଠାଗୁଡ଼ିକ ମଧ୍ୟରେ ଅଧିକାଂଶ ଦୋକାନ, କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସାମିଲ ଅଛି। ରଏଟର୍ସ ଅନୁଯାୟୀ, ଏହି ଭୂକମ୍ପ ଘଟଣାରେ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।
ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭାରତୀୟ ସମୟ ସକାଳ ପ୍ରାୟ ୫:୦୭ ମିନିଟ୍ରେ ଏହି ଭୂକମ୍ପ ଆସିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଦ୍ୱୀପ ନିକଟ ସମୁଦ୍ର ମଧ୍ୟରେ ଥିଲା। ଏହା ସାରଙ୍ଗାନୀ ପ୍ରଦେଶର ମାସିମ୍ ସହରଠାରୁ ପ୍ରାୟ ୩୨ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏବଂ ୩୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଅଧିକାରୀମାନଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଫିଲିପାଇନ୍ସରେ ଆସିଥିବା ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ। ତେବେ ସବୁଠୁ ବିପଦଜନକ ସମ୍ବାଦ ହେଉଛି ଯେ, ଭୂକମ୍ପ ପରେ ସୁନାମି ମଧ୍ୟ ଆସିଥିଲା। ସବୁଠାରୁ ଉଚ୍ଚ ଜୁଆରର ଉଚ୍ଚତା ୧.୪ ମିଟର (ପ୍ରାୟ ୪.୬ ଫୁଟ) ରହିଥିଲା। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଡୋନେସିଆ ଏବଂ ମାଲେସିଆ ମଧ୍ୟ ସୁନାମି ଚେତାବନୀ ଜାରି କରିଥିଲେ, ଯାହାକୁ କିଛି ଘଣ୍ଟା ପରେ ପ୍ରତ୍ୟାହାର କରି ନିଆଯାଇଥିଲା। ଫିଲିପାଇନ୍ସର ଆଗ୍ନେୟଗିରି ଏବଂ ଭୂକମ୍ପ ବିଜ୍ଞାନ ସଂସ୍ଥାନ ସୂଚନା ଦେଇଛି ଯେ, ସ୍ଥାନୀୟ ସମୟ ସକାଳ ୧୧ଟା ସୁଦ୍ଧା ୧୩୮ ଥର ଆଫ୍ଟରସକ୍ (ଭୂକମ୍ପ ପରବର୍ତ୍ତତୀ ମୃଦୁ ଝଟକା) ରେକର୍ଡ କରାଯାଇଛି। ଏହି ଝଟକାଗୁଡ଼ିକର ତୀବ୍ରତାର ମାତ୍ରା ୧.୩ ରୁ ୬.୭ ମଧ୍ୟରେ ଥିଲା।
୭ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବନ୍ଦର ସହର ‘ଜେନେରାଲ ସାଣ୍ଟୋସ’ରେ ସବୁଠାରୁ ଅଧିକ କ୍ଷତି ହୋଇଛି। ଏଠାରେ ଅନେକ କୋଠାବାଡ଼ିରେ ଫାଟ ସୃଷ୍ଟି ହୋଇଛି, କିଛି ଛୋଟ କୋଠା ଆଂଶିକ ଭାବେ ଭାଙ୍ଗି ପଡ଼ିଛି ଏବଂ ଏକ ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ସହରରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୩୦ ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ କୋଟାବାଟୋ, ଦାଭାଓ ଅକ୍ସିଡେଣ୍ଟାଲ ଏବଂ ବାଲୁତ ଦ୍ୱୀପ ସମେତ ଅନ୍ୟାନ୍ୟ ଦକ୍ଷିଣ ଅଞ୍ଚଳରେ ମଧ୍ୟ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ କିଛି ଲୋକ ଭାଙ୍ଗି ପଡ଼ିଥିବା ଭଗ୍ନାବଶେଷ, ଏକ କ୍ଷତିଗ୍ରସ୍ତ ମସଜିଦ ଏବଂ ଭୂସ୍ଖଳନର ଶିକାର ହୋଇଛନ୍ତି। ଭୂକମ୍ପର ପ୍ରଭାବ ଫିଲିପାଇନ୍ସ ବାହାରେ ମଧ୍ୟ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଉତ୍ତର ସୁଲାୱେସି ଏବଂ ଉତ୍ତର ମାଲୁକୁ ଅଞ୍ଚଳରେ ଏହି ଝଟକା ଲାଗିଛି। ମନାଡୋ ସହରର ଲୋକମାନେ କହିଛନ୍ତି ଯେ ଭୂକମ୍ପର କମ୍ପନ ବେଶ୍ ତୀବ୍ର ଥିଲା। ଇଣ୍ଡୋନେସିଆର ପାଣିପାଗ ଏବଂ ଭୂଭୌତିକ ଏଜେନ୍ସି ନିଜର ଉତ୍ତର-ପୂର୍ବ ଉପକୂଳ ପାଇଁ ସୁନାମି ଚେତାବନୀ ଜାରି କରିଛି। ମାଲେସିଆର କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏକ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଉଠିବା ଆଶଙ୍କା କରାଯାଇଛି।










