38.3 C
Bhubaneswar
Monday, June 8, 2026
Homeଦେଶ ବିଦେଶଅନଲାଇନ୍ ଗେମ୍‌ର ନିଶା ନେଲା ଦୁଇ ଜୀବନ

ଅନଲାଇନ୍ ଗେମ୍‌ର ନିଶା ନେଲା ଦୁଇ ଜୀବନ

ନୂଆଦିଲ୍ଲୀ: ସମ୍ପର୍କ ଭୁଲାଇଦେଲା PUBG  । ବିରୋଧ କରିବାରୁ ନିଜ ବାପା ଓ ଭଉଣୀଙ୍କ ଜୀବନ ନେବାକୁ ପଛାଇଲାନି ଯୁବକ । କାହାକୁ ଜଣାଥିଲା ସ୍କ୍ରିନ ଆଗରେ ଆଙ୍ଗୁଳି ଟିପରେ ଖେଳା ଯାଉଥିବା ଏହି ସାମାନ୍ୟ ଗେମ୍‌ ଦିନେ ନିଜ ପରିବାରର ବଳି ଚଢ଼େଇ ଦେବ ।  କର୍ଣ୍ଣାଟକର କୋପ୍ପଲ ଜିଲ୍ଲାର ଗଙ୍ଗାବତୀ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା  । ଅନଲାଇନ୍ ଗେମ୍ PUBG ପ୍ରତି ଅତ୍ୟଧିକ ନିଶା ଯୋଗୁଁ ଜଣେ ୧୮ ବର୍ଷୀୟ ଯୁବକ ନିଜ ପରିବାର ଉପରେ ଛୁରିରେ ମାରାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଏହି ଘଟଣାରେ ତାଙ୍କ ବାପା ଓ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ସୂଚନା ଅନୁଯାୟୀ, ସାଇ ୱେଙ୍କଟମଣି ନାମକ ଏହି ଯୁବକ ଦୀର୍ଘଦିନ ଧରି PUBG ଖେଳରେ ମଗ୍ନ ରହୁଥିଲେ। ପରିବାର ଲୋକେ ତାଙ୍କୁ ଅନଲାଇନ୍ ଗେମ୍‌ର ଅତ୍ୟଧିକ ବ୍ୟବହାରକୁ  ବାରଣ କରୁଥିଲେ । ଏହାକୁ ନେଇ ପରିବାର ମଧ୍ୟରେ ବାରମ୍ବାର କଳହ  ଲାଗି ରହୁଥିଲା । ଶନିବାର ରାତି ପ୍ରାୟ ୧୦ଟା ସମୟରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ଅଭିଯୁକ୍ତ ଘରର ବିଦ୍ୟୁତ ସଂଯୋଗ ବନ୍ଦ କରିଦେଇଥିଲା  । ଏହାପରେ ଅନ୍ଧାରର ସୁଯୋଗ ନେଇ ମା’, ବାପା ଓ ଭଉଣୀଙ୍କ ଉପରେ ଛୁରିରେ ଅତି ନୃଶଂସ ଭାବେ ଆକ୍ରମଣ କରିଥିଲା ଅଭିଯୁକ୍ତ ।

ଆକ୍ରମଣରେ ତାଙ୍କ ୧୯ ବର୍ଷୀୟ ଭଉଣୀ ପ୍ରଗତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଆହତ ବାପା ୱେଙ୍କଟ ନାୟଡୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରଦିନ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ୪୦ ବର୍ଷୀୟ ମା’ ସୌଜନ୍ୟା ଗୁରୁତର ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଘଟଣା ପରେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତିରେ ଚିତ୍କାର ଶୁଣି ଘରକୁ ପହଞ୍ଚିଥିଲେ ଅଭିଯୁକ୍ତଙ୍କ ଦାଦା । ପଡ଼ୋଶୀମାନଙ୍କ ସହାୟତାରେ ଘରର କବାଟ ଖୋଲାଯାଇଥିଲା । ପରେ ପୁଲିସକୁ ଖବର ଦିଆଯାଇଥିଲା । ଦାଦାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଅଭିଯୁକ୍ତ  ପୁତୁରାର  ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଅନଲାଇନ୍ ଗେମିଂର ଅତ୍ୟଧିକ ନିଶାକୁ ନେଇ ପୁଣିଥରେ ଚିନ୍ତା ବଢ଼ାଇଛି । ଏକ ସାଧାରଣ ପରିବାରରେ ଘଟିଥିବା ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking