> ‘ଛାତ୍ରସମାଜ ଶିକ୍ଷାର ଅଧୋଗତିକୁ ହୃଦୟଙ୍ଗମ କରନ୍ତୁ; ରାଜରାସ୍ତାକୁ ଓହ୍ଲାନ୍ତୁ’
> ୧୦ ତାରିଖର ସମାବେଶ ରାଜ୍ୟରେ ସଚେତନ ଛାତ୍ରନେତୃତ୍ବ ସୃଷ୍ଟି କରିବ
‘‘ଅନ୍ୟାୟକୁ ଅନ୍ୟାୟ ବୋଲି ଛାତ୍ରସମାଜ କହିବାର ସମୟ ଆସିଛି। ୨୦୨୪ ଓ ୨୦୨୬ରେ ଦୁଇଥର ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣା ସହ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଓଏସ୍ଏମ୍ ଅନିୟମିତତାର ଉତ୍ତରଦାୟିତ୍ବ ମୁଣ୍ଡାଇ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ ତାଙ୍କ ନିଜ ସମ୍ମାନ ରହିଥା’ନ୍ତା ତଥା ଓଡ଼ିଶାର ସ୍ବାଭିମାନ ଭୂଲୁଣ୍ଠିତ ହୋଇ ନ ଥା’ନ୍ତା। ଉପରୋକ୍ତ ପ୍ରସଙ୍ଗରେ ରାଜ୍ୟର ଛାତ୍ର ଓ ଯୁବସମାଜ ଜାଗ୍ରତ ହୋଇ ସଚେତନ ହେବା ସଙ୍ଗେସଙ୍ଗେ ପ୍ରସଙ୍ଗର ଗୁରୁତ୍ବ ହୃଦୟଙ୍ଗମ ପୂର୍ବକ ରାଜରାସ୍ତାକୁ ଓହ୍ଲାନ୍ତୁ’’ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଆହ୍ବାନ ଦେଇଛନ୍ତି। ଆସନ୍ତା ୧୦ ତାରିଖ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସମ୍ବଲପୁରଠାରେ ଛାତ୍ରକଂଗ୍ରେସ ପକ୍ଷରୁ ଆୟୋଜିତ ହେଉଥିବା ଛାତ୍ରଯୁବ ଆକ୍ରୋଶ ସମାବେଶରେ ଯୋଗଦେବା ପାଇଁ ନାହିଁ ନ ଥିବା ଆଗ୍ରହ ସୃଷ୍ଟି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଉକ୍ତ ସମାବେଶ ପାଇଁ ସ୍ଥାନୀୟ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଦ୍ବିତୀୟ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ସେ କହିଥିଲେ, ଅତୀତରେ ଛାତ୍ର ଆନ୍ଦୋଳନ ରାଜନୀତିକୁ ଅନେକ ମେଧାବୀ ରାଜନେତା ଆଣିବାରେ ସହାୟକ ହୋଇଥିଲା। ୧୦ ତାରିଖର ସମାବେଶରେ ବହୁ ସଚେତନ ଛାତ୍ରନେତା ଭାଗ ନେଉଥିବାରୁ ଏହି ସମାବେଶରୁ ବହୁ ପ୍ରତିଭାବାନ ରାଜନେତା ସୃଷ୍ଟି ହେବେ ବୋଲି ସେ ଆାଶା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ୧୦ ତାରିଖ ଅପରାହ୍ଣ ୫ଟାରେ ଧନକଉଡ଼ା ବ୍ଲକ୍ ଅଫିସ ପାଖ ପଡ଼ିଆାରେ ଆୟୋଜିତ ହେଉଥିବା ବିଶାଳ ଯୁବଛାତ୍ର ସମାବେଶରେ କହ୍ନେୟାଙ୍କ ଛଡ଼ା ଛାତ୍ରକଂଗ୍ରେସର ଜାତୀୟ ସଭାପତି ବିନୋଦ ଝାଖଡ଼ଙ୍କ ସମେତ ବହୁତ ଜାତୀୟ ସ୍ତରର ଛାତ୍ରନେତା ଯୋଗଦେବେ। ସେଦିନ ଅପରାହ୍ଣ ୩ଟା ୩୦ରେ ଅଇଁଠାପାଲି ମଙ୍ଗଳା ମନ୍ଦିର ପାଖରୁ ଏକ ବିଶାଳ ବାଇକ୍ ରାଲି ବାହାରି ସଭାସ୍ଥଳରେ ପହଞ୍ଚିବ। ତେବେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ଅଧିକ ବିସ୍ତୃତ ବିବରଣୀ ଦେବାପାଇଁ ସୋମବାର ୮ ତାରିଖ ପୂର୍ବାହ୍ନ ୯ଟା ୩୦ରେ ସ୍ଥାନୀୟ ଗ୍ରାଣ୍ଡ ଶିବା ହୋଟେଲ ସମ୍ମିଳନୀ କକ୍ଷରେ ପିସିସି ସଭାପତି ଓ ଦଳର ଅନ୍ୟ ନେତୃବୃନ୍ଦ ସାମ୍ବାଦିକମାନଙ୍କ ସହ ଏକ ଆଲୋଚନା ସଭାରେ ଯୋଗଦେବେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଗଣମାଧ୍ୟର ପ୍ରତିନିଧିମାନେ ବହୁସଂଖ୍ୟରେ ଯୋଗଦେବା ପାଇଁ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ରବିବାରର ଦ୍ବିତୀୟ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିସିସିର ସଂଗଠନ ଉପସଭାପତି ସନ୍ତୋଷ ସିଂହ ସାଲୁଜା, ଆକ୍ରୋଶ ସମାବେଶର ସମନ୍ବୟ କମିଟିର ଅଧ୍ୟକ୍ଷ ତଥା ବିଧାୟକ ଡା.ରାଜନ ଏକ୍କା, ପୂର୍ବତନ ବିଧାୟକ ସାଧୁ ନେପାକ ପ୍ରମୁଖ ମଂଚାସୀନ ଥିଲେ। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାର କଂଗ୍ରେସ ସଭାପତି ଓ ଛାତ୍ରସଂଗଠକମାନେ ଯୋଗଦେଇ ନିଜନିଜ ପ୍ରସ୍ତାବ ରଖିଥିଲେ।










