ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି । ଏହି ସ୍ୱତନ୍ତ୍ର ଅଭିଯାନର ମାତ୍ର ୯ମ ଦିନ ସୁଦ୍ଧା ରାଜ୍ୟର ୨ କୋଟିରୁ ଅଧିକ ଭୋଟରଙ୍କ ନିକଟରେ ସମ୍ପୃକ୍ତ ଫର୍ମ ପହଞ୍ଚାଇବା କାର୍ଯ୍ୟ ସଫଳତାର ସହ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଭୋଟରଙ୍କୁ ଏହି ଫର୍ମ ବଣ୍ଟନ କରାଯାଇ ସାରିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟର ସୂଚୀକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ମାତ୍ର ୯ ଦିନ ଭିତରେ ୨ କୋଟି ୩୧ଲକ୍ଷ ୭୭ ହଜାର ୮୪ ଜଣ ଭୋଟରଙ୍କ ପାଖରେ ପହଞ୍ଚିବା ପ୍ରଶାସନର ଦ୍ରୁତ କାର୍ଯ୍ୟଦକ୍ଷତା ଓ ସୁପରିଚାଳନାକୁ ଦର୍ଶାଉଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାର କଡ଼ା ଅନୁଧ୍ୟାନ କରାଯାଉଥିବା ବେଳେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି । ଯେଉଁ ଯୋଗ୍ୟ ଭୋଟରମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ପାଖରେ ଦାଖଲ କରିନାହାନ୍ତି, ସେମାନେ ତୁରନ୍ତ ଏହାକୁ ଜମା କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ଦାଖଲ ନକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭୋଟରମାନେ ଚାହିଁଲେ ବିଏଲ୍ଓଙ୍କ ପାଖକୁ ନଯାଇ ସିଧାସଳଖ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ଫର୍ମ ଦାଖଲ କରିପାରିବେ।
ସମସ୍ତ ଯୋଗ୍ୟ ଭୋଟର ନିଜର ବିଏଲ୍ଓ ଙ୍କ ସହ ତୁରନ୍ତ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ସହ ପରିଗଣନା ଫର୍ମ ଦାଖଲ କରି ଏହି ପ୍ରକ୍ରିୟାରେ ନିଜର ନାମ ଅନ୍ତର୍ଭୁକ୍ତ ସୁନିଶ୍ଚିତ କରିବାକୁ କୁହାଯାଇଛି। ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ କିମ୍ବା ଏହି ସମ୍ପର୍କିତ ଯେକୌଣସି ଜନସାଧାରଣ ସୂଚନା ଓ ସହାୟତା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସବିଶେଷ ସୂଚନା ପାଇପାରିବେ। ରାଜ୍ୟର କୌଣସି ବି ଯୋଗ୍ୟ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବଞ୍ଚିତ ନ ହେବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ବାକି ରହିଯାଇଥିବା ୩୦ ପ୍ରତିଶତ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇ ୧୦୦ ପ୍ରତିଶତ ଲକ୍ଷ୍ୟ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଶତପ୍ରତିଶତ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।










