ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରାଜ୍ୟ ପ୍ରଶାସନରେ ଓଡ଼ିଆ ଭାଷାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ କରି ଗ୍ରହଣ କରାଯାଇଛି । ଏହା ଅନୁସାରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ଅଫିସ୍ କାର୍ଯ୍ୟ କରିବା ପାଇଁ ଦୁଇ ଦିନିଆ ବିଶେଷ ତାଲିମ ଦିଆଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବରରେ ୧୦ ଓ ୧୧ ତାରିଖରେ ଆୟୋଜିତ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସରକାରୀ ଦଫ୍ତରରେ ଦୈନିକ କାର୍ଯ୍ୟ, ଚିଠିପତ୍ର, ରିପୋର୍ଟ ଓ ଅନ୍ୟାନ୍ୟ ପ୍ରଶାସନିକ କାମ ଓଡ଼ିଆ ଭାଷାରେ କିପରି ସଠିକ ଭାବେ କରାଯାଇପାରିବ, ସେଥିପାଇଁ ଏହି ତାଲିମ ଦିଆଯିବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ସମସ୍ତ ବିଭାଗକୁ ଏହା ଅବଗତ କରାଯାଇଛି । ତାଲିମ କାର୍ଯ୍ୟକ୍ରମ ପାଇଁ ଅଂଶଗ୍ରହଣକାରୀ ଅଧିକାରୀ ଓ କର୍ମଚାରୀଙ୍କ ନାମ ତାଲିକା ୬ ତାରିଖ ସୁଦ୍ଧା ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପଦକ୍ଷେପକୁ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ାଇବା ଏବଂ ରାଜ୍ୟ ସରକାରୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସ୍ଥାନୀୟ ଭାଷାମୁଖୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ଦେଖାଯାଉଛି ।










