ନୂଆଦିଲ୍ଲୀ: ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଲେମନ ଗ୍ରୀନ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରେଷ୍ଟୁରାଣ୍ଟରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ବୁଧବାର ଦିନ ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଲେମନ ଗ୍ରୀନ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ବେଗ ଏତେ ଥିଲା ଯେ, ଚାରିଆଡେ ଧୂଆଁମୟ ହୋଇଯାଇଥିଲା । କୌଣସି ଲୋକ ସେଠାରୁ ବାହାରିବାକୁ ସାହାସ ଜୁଟାଇପାରିନଥିଲେ। କେହି କେହି ନିଜେ ବଞ୍ଚିବାକୁ ଯାଇ ଉପରମହଲାରୁ ତଳକୁ ଡେଇଁପଡ଼ିଥିଲେ । ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ୯.୪୫ ସମୟରେ ଦିଲ୍ଲୀ ଅଗ୍ନିଶମ ସେବାକୁ କଲ ଆସିଥିଲା । ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ୧୦ଟି ଦମକଳ ବାହିନୀ ଗାଡି ପଠାଯାଇଥିଲା । ସେତେବେଳକୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ସେଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାକୁ ନେଇଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ଥାଇପାରେ ବୋଲି ଆଶଙ୍କା କରାଯାଉଛି ।









