ଭୁବନେଶ୍ୱର : ରାଜ୍ୟରେ ତୈଳ ଦର ବୃଦ୍ଧି ପାଇବା ପରେ ବସଭଡ଼ା ବୃଦ୍ଧି ପାଇଁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି। ବସଭଡ଼ା ନବଢ଼ିଲେ ରାସ୍ତାରେ କୌଣସି ଘରୋଇ ବସ୍ ଗଡ଼ିବ ନାହିଁ ବୋଲି ସଂଘ କହିବା ସହ ରାଜ୍ୟ ସରକାରଙ୍କୁ ଭଡ଼ା ବୃଦ୍ଧି ନିମନ୍ତେ ୧୦ଦିନ ମହଲତ୍ ଦେଇଛି। ବସଭଡ଼ା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ନୀରବତାକୁ ଦୃଷ୍ଟିରେ ରଖି ପୁଣିଥରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଗତ ସୋମବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସପ୍ତାହେ ଯାଏଁ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ସଂଘ ଏବେ ନିଜର ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି।
ଆଜିର ଏହି ଜରୁରୀ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିସ୍ତୃତ ଅଲୋଚନା କରାଯିବା ସହ ସରକାରଙ୍କୁ ଦାବି ପୂରଣ ପାଇଁ ୧୦ ଦିନର ମହଲତ୍ ଦିଆଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ସରକାର କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ସଂଘ ଧର୍ମଘଟକୁ ଓହ୍ଲାଇବ ଓ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କହିଛନ୍ତି। ବୈଠକ ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କୁ ଦାବି ପୂରଣ ପାଇଁ ୧୦ ଦିନର ମହଲତ ବସ୍ ମାଲିକ ସଂଘ ଦେଇଛି। ଦାବି ପୂରଣ ନହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ। ବସ୍ ରାସ୍ତାରେ ଗଡିବ ନାହିଁଁ ବୋଲି ସେ କହିଛନ୍ତି।










