ପୋଲିସର ମାତ୍ରାଧିକ ଥାର୍ଡ ଡିଗ୍ରୀ ଯୋଗୁ ମରଣ ସହ ଲଢୁଛି ରାକେଶ ବେହେରା
ବିନା ତଦନ୍ତରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା କାହିଁକି
ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁ ବିଗୁଡୁଛି ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାର ଚରମ ଅଧୋଗତି ହେଉଛି । ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ଅଞ୍ଚଳର ଜଣେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିଛି ପୋଲିସ । ଫଳରେ ଉକ୍ତ ଯୁବକ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ପୋଲିସର ଏହି ଦାୟିତ୍ୱ ହୀନତାକୁ କଡା ଭାଷାରେ ନିନ୍ଦା କରିବା ସହ ସଂପୃକ୍ତ ଯୁବକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି । ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ ପୋଲିସ ବ୍ୟବସ୍ଥାର ଅପରିଣାମଦର୍ଶୀ କାର୍ଯ୍ୟ ତଥା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
ଶ୍ରୀମତୀ ସୁଲତା ଦେଓ କହିଛନ୍ତି, ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଲାଣି ସେହିଦିନଠାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରା ନାମକ ଜଣେ ଯୁବକ, ନିଜ ସ୍ତ୍ରୀ ନିଖୋଜ ହୋଇଛନ୍ତି ବୋଲି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାର ଦୁଇ ଦିନ ପରେ କାଠଯୋଡି ପଠାରୁ ଏକ ମହିଳାଙ୍କ ଗଳିତ ଶବ ମିଳିଥିଲା । ପୋଲିସ କିଛି ନବୁଝି ରାକେଶଙ୍କୁ ଡକାଇ ଥାର୍ଡ ଡିଗ୍ରୀ ଦେଇଛି । ଲଗାତାର ତିନି ଦିନ ଧରି ଥାର୍ଡ ଡିଗ୍ରୀ ଯୋଗୁ ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଅନ୍ୟ ପଟେ ରାକେଶଙ୍କ ସ୍ତ୍ରୀ ଜୀବିତ ଥିବା ଜଣାପଡିଛି । ଗୋଟିଏ ପଟେ ନିଖୋଜ ମହିଳା ଜୀବିତ ଥିବା ଜଣାପଡିଥିଲା ବେଳେ ଅନ୍ୟପଟେ ଅପରିଚିତ ମହିଳାଙ୍କ ଗଳିତ ଶବ ସଠିକ ଚିହ୍ନଟ ନକରି ବିନା କାରଣରେ ରାକେଶକୁ ଥାର୍ଡ ଡିଗ୍ରୀ ଦେଇ ଲହୁଲୁହାଣ କରିଛି ପୋଲିସ । ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ପୋଲିସର କାର୍ଯ୍ୟକଳାପକୁ ନିନ୍ଦା କରିଛି ଦଳ । ବିଜେପି ଭାବୁଛି ଯେ ତଦନ୍ତକାରୀ ସଂସ୍ଥା ଗୁଡିକ ତାଙ୍କ ଦଳୀୟ ସଂଗଠନର ଅଂଶବିଶେଷ । ତେଣୁ ବିଜେପି ନେତାମାନେ ତଦନ୍ତକାରୀ ସଂସ୍ଥା ଉପରେ ସଦାବେଳେ ଚାପ ପ୍ରୟୋଗ କରୁଛନ୍ତି ସେଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ ରାକେଶ ବେହେରା କଥା ନୁହେଁ, ସାରା ରାଜ୍ୟରେ ଏଭଳି ଅସଂଖ୍ୟ ଅଘଟଣ ଘଟିଲାଣି, ଏଥିପାଇଁ କେବଳ ଦାୟୀ ରାଜ୍ୟ ସରକାରଙ୍କ ଦିଶାହୀନ ଶାସନ ବ୍ୟବସ୍ଥା । ଏଠାରେ ପ୍ରଶ୍ନ ଉଠୁଛି ମିଳିଥିବା ଗଳିତ ଶବ କାହାର, କେଉଁ ଆଧାରରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା । ଓଡିଶା ଏବେ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି । ଯଦି ଏଥିରେ ସୁଧାର ନଆସେ ଆଗାମୀ ଦିନରେ ବିଜେଡି ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବ ।
ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପସିତା ସାହୁ କହିଛନ୍ତି, ବାରଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ସଠିକ ତଦନ୍ତ ନକରି କାହିଁକି ରାକେଶ ବେହେରାଙ୍କ ଉପରେ ଥାର୍ଡ ଡିଗ୍ରୀ କରିଥିଲା । ଏହାର ଉତ୍ତର ଦେଉ ଗୃହବିଭାଗ । ବିନା କାରଣରେ ରାକେଶଙ୍କୁ ଦଣ୍ଡିତ କରିଛି ପୋଲିସ । ମୃତୁ୍ୟବରଣ କରିଥିବା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ନିଖୋଜ ଥିବା ମହିଳା ତଥା ରାକେଶଙ୍କ ପତ୍ନୀ ଜୀବିତ ଥିବା ଜଣାପଡିବା ପରେ ମଧ୍ୟ କାହିଁକି ପୋଲିସ ରାକେଶଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରିଥିଲା । ଏହାର ଜବାବ ଦିଅନ୍ତୁ ରାଜ୍ୟ ପୋଲିସ ମହାନିଦେ୍ର୍ଦଶକ । ପୋଲିସ ମଧ୍ୟ ରାକେଶର ପରିବାରକୁ ତାଙ୍କ ସହ ଦେଖା କରାଇ ଦେଉନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ପୋଲିସ ଜାଣିଶୁଣି ଘଟଣାକୁ ଚପାଇ ଦେବା ପାଇଁ ରାକେଶଙ୍କ ପରିବାର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଗୋଟିଏ ପଟେ ଲଗାମଛଡା ହୋଇ ବିଜେପି ଦଳ ରାଜ୍ୟରେ ଶାସନ କରୁଥିଲା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ବିଭାଗ ସମ୍ଭାଳିବାରେ ଅସମର୍ଥ ହେଉଛନ୍ତି । ଯଦି ଆଗାମୀ ଦିନରେ ରାକେଶ ବେହେରାଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଭେଟ କରାନଯାଏ । ବିଜେଡିର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଚିକିତ୍ସିତ ହେଉଥିବା ରାକେଶଙ୍କୁ ମେଡିକାଲରେ ଭେଟିବ । ରାକେଶ ବେହେରାଙ୍କ ଜୀବନ ସହିତ ଯଦି କିଛି ଅଘଟଣ ଘଟେ, ତାହାହେଲେ ପୋଲିସ କମିଶନର, ଡିଜି ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ବିଜେଡି କହିଛି ।










