25.1 C
Bhubaneswar
Wednesday, May 27, 2026
Homeଓଡିଶାଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ

– ନିର୍ମାଣ ହେବ ୬ ଲେନ ବିଶିଷ୍ଠ ହାଇ ସ୍ପିଡ଼ ଇଲେଭେଟେଡ଼ କରିଡର
– ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ
– ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ
– ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେବ ଫ୍ଲାଏ ଓଭର ଏବଂ ଭିଓପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ତତ୍ୱାବଧାନରେ ପୁରୀ ଓ ଭୁବନେଶ୍ୱରର ରାସ୍ତାର ବିକାଶ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ସମନ୍ୱୟ ଉପରେ ସଚିବ ଶ୍ରୀ ସିଂହଗୁରୁତ୍ୱାରୋପ କରିଥିଲେ I

ବୈଠକରେ ୬୭ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ ୪ ଲେନ ରୁ ୬ ଲେନ କରିବା ସହ ଉଭୟ ପଟରେ ଦୁଇ ଲେନ ବିଶିଷ୍ଠ ସ୍ୱତନ୍ତ୍ର ସର୍ଭିସ ଲେନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା I ଏଥିସହିତ ସପ୍ତସତି ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାକୁ ୬ ଲେନ ଇଲେଭେଟେଡ଼ କରିଡର ସହ ଉଭୟ ପାର୍ଶ୍ୱରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ଼ ନିର୍ମାଣ ନେଇ ଆଲୋଚନା ହୋଇଥିଲା I ଏହା ଭୁବନେଶ୍ୱର ସହରର ଭିଡ ପରିଚାଳନା ସହ ଉଭୟ ସହର ମଧରେ ଯାତାୟାତ ସମୟକୁ ହ୍ରାସ କରିବ I

ପ୍ରସ୍ତାବିତ ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ୱେ ସାଇଡ ଆମିନିଟି ସୁବିଧା ରହିବ I ପୁରୀ ଏବଂ ଭୁବନେଶ୍ୱର ଅଞ୍ଚଳ ବାତ୍ୟା ପ୍ରବଣ ହାଇଥିବାରୁ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ,ପାଣି ଓ ଗ୍ୟାସ ସେବା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା I ଭବିଷ୍ୟତରେ ପୁରୀରେ ନିର୍ମାଣ ହେବାକୁ ଥିବା ବିମାନ ବନ୍ଦର, ଉପକୂଳ ରାଜପଥ, ଅନ୍ୟାନ୍ୟ ପ୍ରକଳ୍ପ ଏବଂ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱାରୋପ କରିଥିଲେ I ଏଥିସହ ଆବଶ୍ୟକତା ଥିବା ସ୍ଥାନରେ ଇଲେଭେଟେଡ଼ କରିଡର, ଫ୍ଲାଏ ଓଭର ଏବଂ ଭିଓପି ( ଭେଇକିଲ ଅଣ୍ଡର ପାସ) ନିର୍ମାଣ ନେଇ ସର୍ବଶ୍ରେଷ୍ଠ ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ I

ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଞ୍ଚଳ ରଣା, ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ. କେ ପାଢ଼ୀ, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଯୁଗ୍ମ ଶାସନ ସଚିବ ଦୀପ୍ତି ରଞ୍ଜନ ବେହେରା ଉପ ଶାସନ ସଚିବ ଇଂ ସୁନ୍ଦର ମାଧବ ପାଢ଼ୀ, ମୁଖ୍ୟଯନ୍ତ୍ରୀ ଏନଏଚ ଇଂ ନାରାୟଣ ପଟେଲଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ, ଟିପିଡିଓସିଏଲ, ଜଙ୍ଗଲ ଓ ପରିବେଶ ବିଭାଗ, ୱାଟକୋ, ଓପିଟିସିଏଲ ଆଦି ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking