– ସେପ୍ଟେମ୍ବର ସୁଦ୍ଧା ବକେୟା ଥିବା ଜମିଜମା ମାମଲା ବନ୍ଦୋବସ୍ତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର/ମାଲକାନଗିରି : ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ଜମିଜମା ସମ୍ବନ୍ଧୀୟ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ସଂକ୍ରାନ୍ତରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ରାଜ୍ୟ ସରକାରଙ୍କ ୧୦ ଦଫା ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଓ ବିଭିନ୍ନ ବିଭାଗ ଦ୍ୱାରା ଗ୍ରହୀତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସୂଚନଯୋଗ୍ୟ ଯେ, ରେଗୁଲେସନ-୨, ୧୯୫୬ ଅଧୀନରେ ଥିବା ୧୬୯ଟି ବକେୟା ମାମଲା ମଧ୍ୟରୁ ଇତିମଧ୍ୟରେ ପ୍ରାୟ ୩୦ଟି ମାମଲାର ନିଷ୍ପତ୍ତି କରାଯାଇଛି। ଏଥିପାଇଁ ମାଲକାନଗିରି ଉପଜିଲ୍ଲାପାଳଙ୍କ ଦ୍ୱାରା ମାମଲାଭିତ୍ତିକ ସ୍ଵତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ନିୟମିତ ଶୁଣାଣି କରି ବକେୟା ଥିବା ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ସେହିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ଯରେ ଜଣେ ଅତିରିକ୍ତ ଉପଜିଲ୍ଲାପାଳ ନିଯୁକ୍ତି ପାଇଁ ଆସିଥିବା ପ୍ରସ୍ତାବକୁ ବିଚାର କରି ଖୁବ୍ ଶୀଘ୍ର ନିଯୁକ୍ତି ଦେବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l
ସେହିପରି ଭୂମିହୀନ ଏବଂ ବାସହୀନ ଆଦିବାସୀ ପରିବାରଙ୍କୁ ବସୁନ୍ଧରା ଯୋଜନା ଓ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅଧୀନରେ ଜମି ଯୋଗାଇ ଦିଆଯାଇଛି l ବିଗତ ୪ ମାସ ମଧ୍ୟରେ ୯୦ଟି ଆଦିବାସୀ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯାଇଥିବା ବେଳେ ୯୫ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ୧୪ଟି ଗୋଷ୍ଠୀଗତ ଅଧିକାର ଦାବି ମଧ୍ଯ ଅନୁମୋଦନ କରାଯାଇଛି। ମାଛକୁଣ୍ଡ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ୭୭୨ଟି ବିସ୍ଥାପିତ ପରିବାର ମଧ୍ୟରୁ ୬୯୩ଟି ପରିବାରକୁ ବିଭିନ୍ନ ଗ୍ରାମରେ ବସବାସ ସୁବିଧା ସହ ଜମିପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୭୯ ପରିବାରଙ୍କୁ ଓଜିଏଲଏସ୍, ଓପିଏଲଇ ଏବଂ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଜମି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି l ଏଥିନିମନ୍ତେ ମାଲକାନଗିରି ଏବଂ ଚିତ୍ରକୋଣ୍ଡାର ତହସିଲଦାରଙ୍କୁ ତ୍ଵରିତ ଭାବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି l
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷି କାର୍ଯ୍ୟକୁ ସୁଦୃଢ଼ କରିବା ନିମନ୍ତେ ଜଳସେଚନର ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ୬ଟି ଗ୍ରାମରେ ଲିଫ୍ଟ ଇରିଗେସନ୍ ପଏଣ୍ଟ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ୧୧ଟି ଚେକ୍ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାସହ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଚେକ୍ଡ୍ୟାମ୍ ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା, ପିଏମ୍ଇଜିପି ଓ ପିଏମ୍ଏଫ୍ଏମ୍ଇ ଯୋଜନା ଅଧୀନରେ ଆଦିବାସୀ ଓ ଗରିବ ପରିବାରଙ୍କୁ ସ୍ୱାବଳମ୍ବୀ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଓ ଉଦ୍ୟୋଗୀ ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଅନେକ ଆବେଦନ ବ୍ୟାଙ୍କ୍ ମାଧ୍ୟମରେ ଅନୁମୋଦିତ ହୋଇଛି। ମାଲକାନଗିରି ଜିଲ୍ଲାରେ ବହୁଭାଷୀ ଶିକ୍ଷା (ଏମ୍ଏଲ୍ଇ) ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଶୀଘ୍ର ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲାରେ ବଣ୍ଡା, କୋୟା, ଦିଦାୟୀ, ପରଜା, କନ୍ଧ, ଦୁରୁଆ, ହଲବି, ଭୁମିଆ ଆଦି ସହ ୮ଟି ଉପଭାଷା ପାଇଁ ୨୩୫ ଜଣ ଏମ୍ଏଲ୍ଇ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ୧୧୩ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି।
ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବା ପାଇଁ ୧୨ଟି ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବା ପ୍ରସ୍ତାବ ପଠାଯାଇଥିବା ବେଳେ ୯୩ଟି ଛାତ୍ରାବାସ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ ହୋଇଛି। ଚିତ୍ରକୋଣ୍ଡା ବ୍ଲକ୍ର ଜନ୍ତ୍ରୀଠାରେ ୧୦୦ ଆସନ ବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକଙ୍କ ପ୍ରକୃତ ଅଭିଯୋଗକୁ ପ୍ରାଥମିକତା ଦେଇ ସମାଧାନ କରିବା ଏବଂ ପ୍ରତିମାସରେ ଅଗ୍ରଗତି ରିପୋର୍ଟ୍ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ଵରନ ଏବଂ ବରିଷ୍ଠ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଦକ୍ଷିଣାଞ୍ଚଳ ଆରଡିସି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ l










