33.1 C
Bhubaneswar
Wednesday, May 27, 2026
Homeଓଡିଶାଓଡ଼ିଶା ହେବ ଦେଶର ‘ଷ୍ଟିଲ୍ ରାଜଧାନୀ’

ଓଡ଼ିଶା ହେବ ଦେଶର ‘ଷ୍ଟିଲ୍ ରାଜଧାନୀ’

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ପାରାଦୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍‌ନେସ୍ ନିର୍ମାଣ କାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟଯେ, ଏହି ପ୍ରକଳ୍ପରେ JSW Steel ପକ୍ଷରୁ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯାହା ଓଡ଼ିଶା ଇତିହାସରେ ସର୍ବବୃହତ୍। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ଏଠାରେ ୧୨ ମିଲିଅନ୍ ଟନର ଏକ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟର କାପ୍‌ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ।

JSW ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ଜାପାନର ସହଯୋଗୀ କମ୍ପାନୀ JFE Steel ର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କମ୍ପାନୀକୁ ସମସ୍ତ ପ୍ରକାର ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ଯ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ମଞ୍ଚରୁ ଆଶ୍ୱାସନା ଦେଇଛନ୍ତି।ଅଭିଭାଷଣରେ ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ପ୍ରକଳ୍ପ ପାଇଁ ଜନସାଧାରଣ ଦୁଇ ଦଶନ୍ଧି ଧରି ଅପେକ୍ଷା କରିଥିଲେ ଏବଂ ଦୁଇ ବର୍ଷ ତଳେ ଯାହାର କେବଳ ତରତରିଆ ଶିଳାନ୍ୟାସ କରାଯାଇଥିଲା, ତାହାକୁ ନୂତନ ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ଫାଷ୍ଟ-ଟ୍ରାକ୍ ମୋଡ୍‌ରେ କାର୍ଯ୍ୟକାରୀ କରାଯାଇଛି। ପୂର୍ବ ଗତିରେ କାମ ଚାଲିଥିଲେ ଯେଉଁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୮ ମସିହାରେ ଆରମ୍ଭ ହୋଇଥାନ୍ତା, ବର୍ତ୍ତମାନ ସେହି ୨୦୨୮ ସୁଦ୍ଧା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଷ୍ଟିଲ୍ ଉତ୍ପାଦନ ଆରମ୍ଭ ହେବ ବୋଲି ସେ ଟାଇମଲାଇନ୍ ଗ୍ୟାରେଣ୍ଟି ଦେଇଛନ୍ତି। ସରକାରଙ୍କ ଏହି ଦ୍ରୁତ କାର୍ଯ୍ୟଶୈଳୀର ଉଦାହରଣ ଦେଇ ସେ ଖୋର୍ଦ୍ଧାର ଟ୍ରାଇମେଟ୍ରୋ ଗାର୍ମେଣ୍ଟସର ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ଶିଳାନ୍ୟାସର ବର୍ଷକ ମଧ୍ୟରେ ଉତ୍ପାଦନ ଆରମ୍ଭ ହୋଇସାରିଛି।

ଓଡ଼ିଶାର ବୈଦେଶିକ ଶିଳ୍ପ ଭାଗିଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଜାପାନର JFE ଷ୍ଟିଲ୍ ସହଯୋଗରେ ଝାରସୁଗୁଡ଼ାରେ ଚାଲିଥିବା ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ସେ କହିଛନ୍ତି ଯେ, ଜାପାନ ସହ ଆଲୋଚନା ଅନୁଯାୟୀ ଖୁବ୍ ଶୀଘ୍ର ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ (Tottori) ରାଜ୍ୟ ମଧ୍ୟରେ ‘Sister States’ ବା ଭଗିନୀ ରାଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବ। ଏହାଦ୍ୱାରା ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ରରେ ଜାପାନ ବ୍ୟାପକ ପୁଞ୍ଜି ନିବେଶ କରିବ। କେବଳ ପାରାଦୀପ କିମ୍ବା ଝାରସୁଗୁଡ଼ା ନୁହେଁ, ବରଂ ଢେଙ୍କାନାଳ ଓ କେନ୍ଦୁଝରରେ ମଧ୍ୟ ଖୁବ୍ ଶୀଘ୍ର ନୂତନ ଷ୍ଟିଲ୍ ପ୍ଲାଣ୍ଟମାନ ଗଢ଼ିଉଠିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିକୁ ନିଜ ସରକାରଙ୍କ ସବୁଠୁ ବଡ଼ ଫୋକସ୍ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଦୁଇ ବର୍ଷର ସଫଳତା ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ ସରକାର ୪୩୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନ ସୁଦ୍ଧା ୧୪୮ଟି ପ୍ରକଳ୍ପର ଭୂମିପୂଜା ସରିଛି, ଯାହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୩୭ ହଜାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ସହର ଯଥା ହାଇଦ୍ରାବାଦ, କୋଲକାତା ଓ ଗୁଜରାଟ ଗସ୍ତ କରି ସେ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆଣିବାରେ ସଫଳ ହୋଇଥିବା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଥିବା ସ୍ନେହ ଏବଂ ତାଙ୍କର ‘ୟହି ସମୟ ହେ, ସହି ସମୟ ହେ’ ଆହ୍ୱାନ ଯୋଗୁଁ ନିବେଶକମାନେ ଏବେ ଓଡ଼ିଶା ମୁହାଁ ହେଉଛନ୍ତି ବୋଲି ସେ କହିଛନ୍ତି।

ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ ‘Two-Coast Strategy’ ବା ଦୁଇ ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପ୍ରମୁଖ ଭୂମିକା ଗ୍ରହଣ କରିବେ, ଯେଉଁଥିରେ ପାରାଦୀପ ସବୁଠାରୁ ଶୀର୍ଷରେ ରହିବ।ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ରିଫାଇନାରୀ ଏବଂ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ପରେ ଏବେ ଏକ କ୍ରୁଜ୍ ଟର୍ମିନାଲ୍ ଏବଂ ମେଗା ଜାହାଜ ନିର୍ମାଣ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ୫ ହଜାର କୋଟି ଟଙ୍କା ଅନୁଦାନରେ ପାରାଦୀପ-କଟକ-ଭୁବନେଶ୍ୱର-ପୁରୀ ଅର୍ଥନୈତିକ କରିଡର (BCPPER) ନିର୍ମାଣ ହେବ, ଯେଉଁଥିରେ ପାରାଦୀପ ‘ମୁଖଶାଳା’ ସାଜିବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବ। ପରିଶେଷରେ, “ବାଣିଜ୍ୟେ ବସତେ ଲକ୍ଷ୍ମୀ” ନୀତିକୁ ଆଧାର କରି ୨୦୩୬ ସୁଦ୍ଧା ଓଡ଼ିଶା ଗଠନର ଶତାବ୍ଦୀ ପୂର୍ତ୍ତି ଅବସରରେ ରାଜ୍ୟକୁ ଦେଶର ଏକ ଶ୍ରେଷ୍ଠ ଓ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

ଉକ୍ତ କାର୍ଯ୍ୟାରମ୍ଭ ଉତ୍ସବରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦୀପ ଏବଂ ସମଗ୍ର ଜଗତସିଂହପୁର ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି। ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ସ୍ଥାନୀୟ ଜନସାଧାରଣ ଯେଉଁ ସ୍ୱପ୍ନ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଖିଥିଲେ, ତାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ରୁତ ଏବଂ ସ୍ପଷ୍ଟ ନୀତି ଯୋଗୁଁ ବାସ୍ତବ ରୂପ ନେବାକୁ ଯାଉଛି।ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶେଷ କରି ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ଏବଂ କ୍ରାନ୍ତିକାରୀ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।ରାଜ୍ୟରେ ଶିଳ୍ପାୟନର ବାତାବରଣକୁ ଅଧିକ ସୁଦୃଢ଼ କରିବା ସହ ନିବେଶକମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ଶିଳ୍ପ ବିଭାଗ ଦିନରାତି କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି। JSW Steel ପକ୍ଷରୁ କରାଯାଉଥିବା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ଏହି ବିଶାଳ ପୁଞ୍ଜି ନିବେଶ ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ମନ୍ତ୍ରୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।ଏହି ସମାରୋହରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଏବଂ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, JSW ର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲ, JSW ର ସିଇଓ (CEO) ଜୟନ୍ତ ଆଚାର୍ଯ୍ୟ ଏବଂ JSW ର ସଭାପତି (President) ଅନିଲ କୁମାର ସିଂହ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking