ମେ’ ୨୭ ତାରିଖରୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୨୭ ତାରିଖ ଅପରାହ୍ନ ୪.୦୦ ଘଟିକାରୁ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ମେ’ ୨୭ ତାରିଖରୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଅନଲାଇନ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ। ଜୁନ୍ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ପ୍ରକାଶିତ ହେବ। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର ଯଥା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ (Single Major with Two Minors) କିମ୍ବା ଦୁଇଟି ମୁଖ୍ୟ ବିଷୟ (Double Majors) କିମ୍ବା ତିନିଟି ଉପବିଷୟ (Three Minors) ଚୟନ କରିପାରିବେ। ଏଥିସହ ଶିକ୍ଷାବର୍ଷ ୨୦୨୬-୨୭ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ ୯ ତାରିଖ (୯ ଜୁଲାଇ,୨୦୨୬ ରିଖ) ସୁଦ୍ଧା ଆରମ୍ଭ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି।









