ଭୁବନେଶ୍ୱର: ରାଜ୍ୟରେ ପାଣିପାଗ ଏବେ ଯେପରି ବେଶ୍ ଉଷ୍ମ ରହିଛି ସେହିପରି ରାଜନୀତିରେ ମଧ୍ୟ ଉଷ୍ମତା ବଢ଼ିଛି। ରବିବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଦ ଛୁଇଁ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଣ୍ଡିଆ ମାରି ବିଜେପି-ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ। ଆଜି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇ ଦୁଇଦଳ ମଧ୍ୟରେ ହଟଚମଟ ସୃଷ୍ଟି କରିଛନ୍ତି। ପୂର୍ବରୁ ବିଜେଡି ଲୋକସଭାରେ ଶୂନ୍ ହୋଇଥିବାବେଳେ ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟସଭାରେ ଦଳର ସଂଖ୍ୟା ୫କୁ ହ୍ରାସ ପାଇଛି। ପୂର୍ବରୁ ଦୁଇଜଣ ସାଂସଦ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଥିଲେ। ଏଥିରେ ଆଲୋଚନା ହେଉଛି ରାଜନୀତିରେ ବିଜେପି ‘ବଳ’ ଗୋଟଉଥିବା ବେଳେ ବିଜେଡିର ‘ବଳ’ ହ୍ରାସପାଉଛି।
ରାଜନୀତିରେ ଏବେ ଯାହା ଆଲୋଚନା ହେଉଛି ସେଥିରେ କୁହାଯାଉଛି ନବୀନ ପଟ୍ଟନାୟକ କ୍ଷମତାରୁ ଯିବାପରେ କୌଣସି ଶିକ୍ଷା ଲାଭ କରି ନାହାନ୍ତି। ଦଳକୁ ସଂଗଠିତ କରି ରଖିବା ବଦଳରେ କ୍ଷତି ଘଟାଇ ଚାଲିଛନ୍ତି। ତାଙ୍କର ଆଚରଣ ଓ କାର୍ଯ୍ୟଧାରାରେ ପୂର୍ବର ସ୍ୱଭାବ ବଜାଇ ରହିଛି। ଦଳୀୟ ନେତାମାନେ ବି ଏ ନେଇ ଅସନ୍ତୁଷ୍ଟ ଥିଲେ ବି କିଛି କହିପାରୁ ନାହାନ୍ତି। ଆଗକୁ ଆହୁରି ଭୟଙ୍କର ସ୍ଥିତି ଦଳର ହୋଇପାରେ ବୋଲି କୁହାଯାଉଛି। ଯିଏ ବି ଦଳ ଛାଡ଼ୁଛନ୍ତି ଓ ଦଳର କାର୍ଯ୍ୟାନୁଷ୍ଠାନ ନେଇ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି ସମସ୍ତେ ଭି.କେ ପାଣ୍ଡିଆନ୍ଙ୍କୁ ଦାୟୀ କରୁଛନ୍ତି। ପାଣ୍ଡିଆନ୍ଙ୍କ ପାଇଁ ଦଳ ହାରିଲା, ନବୀନ ଏକଥାକୁ ଜାଣି ମଧ୍ୟ ଅଜଣା ରହିଛନ୍ତି। ଦଳର ପରାଜୟ ପରେ ପାଣ୍ଡିଆନ୍ ନିଜର ଘୋଷଣା ଅନୁସାରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ବି ବିଜେଡି ଓ ନବୀନଙ୍କ ଉପରେ ତାଙ୍କର କତୃତ୍ତ୍ୱ ଜାରି ରହିଛି। ନବୀନ ଏବେ ବି ତାଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି। ସେ ଯାହା ଚାହୁଁଛନ୍ତି ଦଳରେ ତାହା ହିଁ ଘଟାଉଛଉନ୍ତି। ସେ ତାଙ୍କ ବିରୋଧୀମାନଙ୍କୁ ନବୀନଙ୍କ ଠାରୁ ଦୂରେଇ ରଖିବାକୁ ଉଦ୍ୟମ କରିବା ଫଳରେ ପରିଣତି ଏପରି ହେଉଛି। ଏତେ ଘଟଣା ଓ ଅନେକ ନେତା ଛାଡ଼ି ଚାଲିଯିବା ପରେ ବି ନବୀନ ତାଙ୍କ କାର୍ଯ୍ୟଧାରାର ପରିବର୍ତ୍ତନ କରୁନାହାନ୍ତି। ନିଜକୁ ଦଳର ଜଣେ ନେତା ଭାବରେ ନାଁକୁ ମାତ୍ର ରହିଛନ୍ତି କିନ୍ତୁ କାର୍ଯ୍ୟଧାରାରେ ତାହା ପରିଲକ୍ଷିତ ହେଉନାହିଁ ବୋଲି ଅନେକ ମତ ରଖୁଛନ୍ତି।
ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେପରି ସାଧାରଣ ନେତା ତ ଦୂରର କଥା ମନ୍ତ୍ରୀ ଓ ବିଧାୟକମାନେ ବି ସାକ୍ଷାତ କରିପାରୁ ନଥିଲେ, ସେହି ଧାରା ଏବେବି ବଜାୟ ରହିଛି। ବିଧାୟକ ଓ ସାଂସଦମାନେ ଦଳର ନେତାଙ୍କୁ ଭେଟି ନିଜ ମନକଥା କହିପାରୁ ନାହାନ୍ତି। ଯାହାଫଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତାହାର ପରିଣତି ରାଜ୍ୟସଭା ନିର୍ବାଚନରେ ନବୀନ ଭୋଗିଛନ୍ତି। ଦଳର ୮ଜଣ ବିଧାୟକ ନବୀନଙ୍କ ଗାଲରେ ଚୂନକାଳୀ ମାରି କ୍ରସ୍ ଭୋଟିଂ କଲେ। ନବୀନଙ୍କ ସହ ବସିଲେ, ଉଠିଲେ ଶେଷରେ ପଛରୁ ଏଭଳି ଛୁରୀ ମାରିଲେ ସେ ବୁଝିପାରିଲେ ନାହିଁ। ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ହଠାତ୍ ନିଲମ୍ବିତ କରି ସମସ୍ତଙ୍କୁ ଚିକିତ କରିଥିଲେ। ଏପରି କରିବାର କ’ଣ ଆବଶ୍ୟକତା ଥିଲା ଯାହାକୁ ଏବେବି ଦଳର ବରିଷ୍ଠ ନେତାମାନେ ବୁଝିପାରୁ ନାହାନ୍ତି।
ଦେବାଶିଷଙ୍କ ଇସ୍ତଫାର କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି। ଦଳର କାର୍ଯ୍ୟାଧାରାରେ ସେ ଅନେକଦିନ ହେଲା ଜଡ଼ିତ ନଥିଲେ। ଏଣୁ ତାଙ୍କର ଯିବା ଓ ରହିବାର କୌଣସି ଚିନ୍ତାର ବିଷୟ ନୁହେଁ। ଦଳ ପକ୍ଷରୁ ଏପରି କୁହାଯିବା ସ୍ୱଭାବିକ। ଦଳ ଗଠନରୁ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ଜଣେ ନେତା ଯେଏକି ବିଧାୟକ ଥିଲେ ଓ ସାଂସଦ ଥିଲେ ତାଙ୍କର କିଛି ସମର୍ଥକ ନଥିବେ ଏକଥା କହିବା ହାସ୍ୟାସ୍ପଦ। ଯାହା ଜଣାଯାଏ ଦେବାଶିଷଙ୍କର ପାରାଦୀପ, ଜଗତସିଂହପୁର ଓ କଟକ ଏହି ତିନି ନିର୍ବାଚନମଣ୍ଡଳୀରେ କିଛିଟା ରାଜନୈତିକ ପ୍ରଭାବ ରହିଛି। ବିଜେପି ଏହାର ଫାଇଦା ନେବ। କଟକ ଜିଲ୍ଲାରେ ଓ ବିଶେଷକରି କଟକ ସହରରେ ନିଜର ସାଂଗଠାନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ବିଜେପି ଜୋରଦାର୍ ପ୍ରୟାସ ଚଳାଇଛି। ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁତ୍ର ବିଧାୟକ ସୌଭିକଙ୍କୁ ବିଜେପି ଏକପ୍ରକାର ନିଜ ଆଡ଼କୁ ଆଣି ସାରିଲାଣି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ତାଙ୍କ ପିତା ପ୍ରଭାତ ତ୍ରିପାଠୀ ମଧ୍ୟ ବିଜେପି ଆଡ଼କୁ ଢ଼ଳିଛନ୍ତି। କେବଳ ଔପଚାରିକ ଯୋଗଦାନ ବାକି ରହିଛି। ଯାହା ସାଧାରଣ ନିର୍ବାଚନ ବେଳେ ରୂପରେଖ ନେବବୋଲି ଜଣାପଡ଼ିଛି। ଏତେ ଘଟଣା ପରେ ନବୀନ ଓ ତାଙ୍କ କୋଟରୀ ଯଦି ନ ଚେତନ୍ତି ତେବେ ଦଳର ସ୍ଥିତି କଂଗ୍ରେସ ଭଳି ହୋଇପାରେ ବୋଲି ଅନେକ ମତ ଦେଉଛନ୍ତି।
ଜଣଙ୍କ ପରେ ଜଣେ ସାଂସଦ ଛାଡ଼ି ଚାଲିଯିବାରେ ଲାଗିଛନ୍ତି। ଦେବାଶିଷଙ୍କ କାର୍ଯ୍ୟକାଳ ଆହୁରି ୪ବର୍ଷ ଅଛି। ତାଙ୍କର ରାଜ୍ୟସଭା ସାଂସଦ ପଦ ୨୦୩୦ରେ ଶେଷ ହୋଇଥାଆନ୍ତା। କିନ୍ତୁ ଏତେ ଆଗରୁ ସେ ଇସ୍ତଫା ଦେଇଛନ୍ତି। ଅନ୍ୟ ରାଜ୍ୟସଭା ସାଂସଦଙ୍କ ଭଳି ସେ ପୁଣି ଥରେ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହେବେ। ସେହି ପ୍ରତିଶ୍ରୁତି ପାଇଥିବାରୁ ବିଜେଡିରୁ ଇସ୍ତଫା ଦେଲେ। ବିଜେପି ଯୋଜନାବଦ୍ଧ ଭାବରେ ନିଜର ସଂଖ୍ୟା ବଢ଼ାଇବା ପାଇଁ ଓ ବିଜେଡିକୁ ଦୁର୍ବଳ କରିବା ଲାଗି ଏଭଳି ଚାଲ୍ ଚଳାଇଛି। ଏକଥା ବି ଏବେ ଆଲୋଚନା ହେଲାଣି ମହାରାଷ୍ଟ୍ରରେ ଶୀବସେନା ସ୍ଥିତି ଯାହାହେଲା ସେହିପରି ବିଜେଡିର ହୋଇପାରେ। ବିଜେପି ଏହି ଯୋଜନାରେ ରହିଛି ବୋଲି କୁହାଯାଉଛି। ଏହା କେତେ ବାସ୍ତବ ରୂପରେଖ ନେବ ତାହା ଭବିଷ୍ୟତ କହିବ। ନବୀନଙ୍କ କାର୍ଯ୍ୟାନୁଷ୍ଠାନ ନ ଡ଼ରି ରାଜ୍ୟସଭା ନିର୍ବାଚନରେ ଏତେ ସଂଖ୍ୟାର ବିଧାୟକ କ୍ରସ୍ ଭୋଟିଂ କରିବା ପରେ ଏବଂ ନେତୃତ୍ୱ ବିରୋଧରେ ଖୋଲା ବିଶୋଦଗାର ଘଟଣା ଅନେକ ସୂଚନା ଦେଉଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକାମାନେ ମତ ଦେଉଛନ୍ତି।










