ନୂଆଦିଲ୍ଲୀ: ତାତିରେ ଜଳୁଛି ଦେଶ । ଘରୁ ବାହାରିବା କଷ୍ଟସାଧ୍ୟ । ନା କାମ ଦେଉଛି ଛତା, ଜୋତା, ଜଳ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି କରାଉଛି ଖରାର ଆର୍ଦ୍ରତା । ଘରେ ବି ତାତିରୁ ତ୍ରାହି ମିଳୁନି । ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ବିଦ୍ୟୁତ କଟିଗଲେ ଦେହରୁ ବୋହୁଛି ଗମ ଗମ ଝାଳ । ବଞ୍ଚିବା କଷ୍ଟ ହୋଇ ପଡୁଛି । ଯାହା ପାଟିରୁ ଶୁଣିବେ ଖାଲି ଗୋଟିଏ କଥା, ଓଃ କି ଖରା , କାହିଁକି ଏତେ ଗରମ, ଗୁଳୁଗୁଳି ?
ପୂର୍ବାନୁମାନକାରୀମାନେ କହିଛନ୍ତି ଯେ, ପ୍ରଶାନ୍ତ ମହାସାଗରରେ ଏକ ସମ୍ଭାବ୍ୟ ସୁପର ଏଲନିନୋ ଦ୍ରୁତ ଗତିରେ ରୂପ ନେଉଛି । କିନ୍ତୁ ଏହା ବିରଳ ରୂପରେ ପରିଣତ ହେବ କି ନାହିଁ ତାହା ବାୟୁମଣ୍ଡଳ ପରିବର୍ତ୍ତନ ଉପରେ ନିର୍ଭର । ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) କହିଛି ଯେ, ଜୁଲାଇ ସୁଦ୍ଧା ଏଲନିନୋ ସୃଷ୍ଟି ହେବାର ପ୍ରାୟ ୮୦ ପ୍ରତିଶତ ସମ୍ଭାବନା ଅଛି । ଯଦି ପୂର୍ବାନୁମାନକାରୀଙ୍କ ଆକଳନ ସତ ହୋଇଯାଏ ତେବେ ତାତି ଆହୁରି ବଢିପାରେ । ସାଙ୍ଘାତିକ ହୋଇଯିବ ବଞ୍ଚିବା ।
ଆସନ୍ତୁ ଜାଣିବା ଏଲନିନୋ କଣ
ଏଲନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ଯାହା କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ପୃଷ୍ଠ ଜଳ ଅସାଧାରଣ ଭାବରେ ଉଷ୍ମ ହୋଇଯାଏ । ଫଳରେ ସାରା ବିଶ୍ୱରେ ପାଗର ଧାରା କୁ ବାଧା ଦେଇଥାଏ । କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୁଏତ ଆଉ କିଛି ଜାଗାରେ ଭୟଙ୍କର ମରୁଡି, ଗ୍ରୀଷ୍ମ ପ୍ରବାହ ସୃଷ୍ଟି କରେ । ପ୍ରଶାନ୍ତ ମହାସାଗର ବିଶାଳ ଯେହେତୁ ଉଷ୍ମ ଜଳର ଏହି ପରିବର୍ତ୍ତନ ବାୟୁମଣ୍ଡଳ ଦେଇ ପବନ ଏବଂ ବର୍ଷା ମେଘର ଗତିପଥକୁ ପରିବର୍ତ୍ତନ କରେ । ଭାରତରେ ଏହା ପ୍ରାୟତଃ ମୌସୁମୀ ବାୟୁକୁ ଦୁର୍ବଳ କରେ । ଫଳରେ ହାରାହାରି ବର୍ଷା କମ ହୁଏ ଏବଂ ଗ୍ରୀଷ୍ମ ଋତୁ ରେ ଅଧିକ ଗରମ ଅନୁଭୂତ ହୁଏ । ଏଲନିନୋ ଶବ୍ଦଟି ସ୍ପାନିସ ଭାଷା ଯାହାର ଅର୍ଥ ହେଉଛି ଛୋଟ ପୁଅ । ଏହାକୁ ପେରୁର ମତ୍ସ୍ୟଜୀବୀମାନେ ନାମ କରଣ କରିଥିଲେ । ଏହା ସାଧାରଣତଃ ଖ୍ରୀଷ୍ଟମାସ ସମୟରେ ଆରମ୍ଭ ହୁଏ । ଏଲନିନୋ ଯାହା ସାରା ବିଶ୍ୱ ସ୍ତରରେ ପାଗକୁ ପ୍ରବାବିତ କରେ । ଯେତେବେଳେ ଉଷ୍ମତା ଅସାଧାରଣ ଭାବରେ ତୀବ୍ର ଏବଂ ବ୍ୟାପକ ହୁଏ, ସେତେବେଳେ ସୁପର ଏଲନିନୋ ଘଟେ ।
ଏଲନିନୋ ଭାରତ ଉପରେ କଣ ପ୍ରଭାବ ପକାଇପାରେ
ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଶାନ୍ତ ମହାସାଗର ପରିସ୍ଥିତି ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଏକ ଶକ୍ତିଶାଳୀ ଏଲ୍ ନିନୋ ବର୍ଷା ହ୍ରାସ କରିପାରେ, ଫସଲ ଉତ୍ପାଦନକୁ ପ୍ରଭାବିତ କରିପାରେ, ଜଳଭଣ୍ଡାର ସ୍ତରକୁ ହ୍ରାସ କରିପାରେ ଏବଂ ତାପ ଚାପ ବୃଦ୍ଧି କରିପାରେ। 2026 ରେ ଏଭଳି ଖରା ଅନୁଭୂତ ପ୍ରଥମ ଥର ବୋଲି ଆମେ କହିପାରିବା ନାହିଁ । ଏହା ପୂର୍ବରୁ ୧୯୮୨-୮୩ରେ ୧୯୯୭-୯୮ ରେ ଏବଂ ୨୦୧୫-୧୬ ଅନୁଭୂତ ହୋଇଛି ଯାହା ବିଶ୍ୱରେ ପ୍ରମୁଖ ପାଗ ବିଭ୍ରାଟ ଏବଂ ରେକର୍ଡ ତାପମାତ୍ରା ସୃଷ୍ଟି କରିଛି ।










