ଭୁବନେଶ୍ୱର: ଓଡିଶାରେ ସହରୀୟ ଯାତାୟାତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡକ ସୁରକ୍ଷା ପଦକ୍ଷେପ ଓ ପ୍ରତିଷ୍ଠାନଗତ ସୁଦୃଢୀକରଣର ପ୍ରଗତି ସମୀକ୍ଷା ପାଇଁ CRUT ର ଚାଲୁ ଓ ଆଗାମୀ ପଦକ୍ଷେପ ସମ୍ପର୍କିତ ଏକ ବ୍ୟାପକ ସମୀକ୍ଷା ବୈଠକ ଆଜି ଗୃହ ଓ ସହର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମାନ୍ୟବର ମନ୍ତ୍ରୀ CRUTର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ୱରରେ ସେବା ପ୍ରଚାଳନ ପ୍ରଗତି ସମୀକ୍ଷା କରିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର, ରାୟଗଡା, କୋରାପୁଟ, ଭଦ୍ରକ ଓ ବଲାଙ୍ଗିରରେ ସେବା ବିସ୍ତାର ପାଇଁ ରୋଡମ୍ୟାପ ଉପରେ ମଧ୍ୟ ଆଲୋଚନା କରିଥିଲେ। କେନ୍ଦୁଝରରେ ନବଆରମ୍ଭ ହୋଇଥିବା ଇଲେକ୍ଟ୍ରିକ ବସ ସେବାରେ ଯାତ୍ରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସହ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧୩୦୦ ଯାତ୍ରୀ ଏହାର ସୁବିଧା ନେଉଥିବା ସୂଚନା ଦିଆଯାଇଥିଲା।
ବୈଠକରେ PM e-Bus Sewa Scheme ର କାର୍ଯ୍ୟାନ୍ବୟନ ପ୍ରଗତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଆଗାମୀ ଡିପୋ ଓ ଇଲେକ୍ଟ୍ରିକ ମୋବିଲିଟି ଭିତ୍ତିଭୂମିର ସମୟୋପଯୋଗୀ କାର୍ଯ୍ୟକ୍ଷମତା ପାଇଁ ଅବଶିଷ୍ଟ ଭିତ୍ତିଭୂମି ଓ ବିଦ୍ୟୁତ ସଂଯୋଗ କାମକୁ ଶୀଘ୍ର ସମାପ୍ତ କରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସାର୍ବଜନିକ ପରିବହନ ବ୍ୟବସ୍ଥାର ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ଗୁରୁତ୍ୱ ଦେଇ CRUTର non-fare box revenue ବୃଦ୍ଧି ପାଇଁ ଗଠିତ ରାଜସ୍ୱ ମଡେଲ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ବସ, ବସ କ୍ୟୁ ସେଲ୍ଟର, ବସ ପୋଲ ଓ ଡିପୋ ସଂଲଗ୍ନ ବ୍ୟବସାୟିକ ଭିତ୍ତିଭୂମିରେ ବିଜ୍ଞାପନ ଅଧିକାର ପ୍ରଦାନ ଭଳି ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା। ୨୦୨୫ ମସିହାରେ ବ୍ୟବସ୍ଥିତ ବ୍ୟବସାୟିକ ପଦକ୍ଷେପ ମାଧ୍ୟମରେ CRUTର non-fare box revenue ଅଂଶୀଦାରିତ୍ୱ ୨୨.୦୫%କୁ ବୃଦ୍ଧି ପାଇଛି । ମାନ୍ୟବର ମନ୍ତ୍ରୀ ଆଗାମୀ ଡିପୋ ଓ ପରିବହନ ଭିତ୍ତିଭୂମିକୁ ବ୍ୟବସାୟିକ ବ୍ୟବହାର ସହ ସମନ୍ୱୟ କରି ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ |
ସଡକ ସୁରକ୍ଷା ବୈଠକର ଏକ ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା। CRUT ଦ୍ୱାରା ପୂର୍ବରୁ କାର୍ଯ୍ୟାନ୍ବିତ ସୁରକ୍ଷା ପଦକ୍ଷେପକୁ ମାନ୍ୟବର ମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ବର୍ତ୍ତମାନର ବସ ଫ୍ଲିଟରେ Advanced Driver Assistance Systems (ADAS) ଓ Driver Fatigue & Monitoring Systems (DFMS) ର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ନୂତନ ଇଲେକ୍ଟ୍ରିକ ବସଗୁଡିକୁ ADAS ସକ୍ଷମ ସୁରକ୍ଷା ବ୍ୟବସ୍ଥା ସହିତ ସଜାଯାଉଥିବା ସୂଚନା ଅଧିକାରୀମାନେ ଦେଇଥିଲେ।
ସାର୍ବଜନିକ ପରିବହନ କ୍ଷେତ୍ରରେ ଲିଙ୍ଗ ସମାବେଶ ପ୍ରତି CRUTର ଅବ୍ୟାହତ ପ୍ରୟାସକୁ ମାନ୍ୟବର ମନ୍ତ୍ରୀ ପ୍ରଶଂସା କରିଥିଲେ। ବିଶେଷକରି କେନ୍ଦୁଝରରେ ଇଲେକ୍ଟ୍ରିକ ବସ ପରିଚାଳନାରେ ମହିଳା ଚାଳକଙ୍କ ନିଯୁକ୍ତିକୁ ସେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ସହରୀୟ ପରିବହନ କ୍ଷେତ୍ରରେ ମହିଳା Heavy Motor Vehicle ଚାଳକଙ୍କ ନିୟମିତ ନିଯୁକ୍ତି ମହିଳାଙ୍କ ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ।
CRUT କ୍ୟାପ୍ଟେନମାନଙ୍କ ପାଇଁ ସାଇକୋମେଟ୍ରିକ ମୂଲ୍ୟାୟନ ଓ ବ୍ୟବସ୍ଥିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ପ୍ରସ୍ତାବିତ ସହଯୋଗ ଓ ବୁଝାମଣାପତ୍ର (MoU) କୁ ମଧ୍ୟ ବୈଠକରେ ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହା ସାର୍ବଜନିକ ପରିବହନ ବ୍ୟବସ୍ଥାରେ ବୃତ୍ତିଗତ ଦକ୍ଷତା ବିକାଶ, ଆଚରଣମୂଳକ ପ୍ରଶିକ୍ଷଣ ଓ ସୁରକ୍ଷାମୂଳକ ପରିଚାଳନାକୁ ଆହୁରି ସୁଦୃଢ କରିବ ବୋଲି ମତ ପ୍ରକାଶ ପାଇଥିଲା।
CRUTର ପରିଚାଳନା ନିର୍ଦ୍ଦେଶକ ସିଦ୍ଧିକ ଆଲାମ ବିସ୍ତୃତ ପ୍ରଗତି ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ଓଡିଶାରେ CRUT ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ପରିଚାଳନା, ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ପଦକ୍ଷେପ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ବୈଠକର ଶେଷରେ ମାନ୍ୟବର ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ଭିତ୍ତିଭୂମି ପ୍ରକଳ୍ପର ସମୟୋପଯୋଗୀ ସମାପ୍ତି, ଇଲେକ୍ଟ୍ରିକ ମୋବିଲିଟି ବ୍ୟବସ୍ଥାର ଶୀଘ୍ର ବିସ୍ତାର, ସଡକ ସୁରକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ଓ ନାଗରିକମୁଖୀ, ଏବଂ ଆର୍ଥିକ ଭାବେ ସକ୍ଷମ ସହରୀୟ ପରିବହନ ସେବା ପ୍ରଦାନ ଉପରେ ନିରନ୍ତର ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।










