31.1 C
Bhubaneswar
Tuesday, May 19, 2026
Homeଓଡିଶାରାଜଧାନୀର ଦୁଇଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ରାଜଧାନୀର ଦୁଇଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଆଜି ରାଜଧାନୀ ୟୁନିଟ- ୬ ସ୍ଥିତ ୨ଗୋଟି ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଅଛି। ଏହି ଅବସରେ ଆୟୋଜିତ ସଭାକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେଯେ ଭୁବନେଶ୍ୱରରେ ସହରୀ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀ କରଣରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ I ଏଥିନିମିତ ୨୦୨୫-୨୬ ଆର୍ଥିକ ବର୍ଷପାଇଁ ୩୭ ଗୋଟି ରାସ୍ତା ପାଇଁ ପ୍ରାୟ ୭୮୨୬. ୧୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି I ରାଜଧାନୀକୁ ଭିଡ଼ ମୁକ୍ତ କରିବା ନେଇ ଥିବା ଲକ୍ଷ୍ୟ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି I ତନ୍ମଧ୍ୟରୁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ଦୁଇ ଗୋଟି ରାସ୍ତା ଯଥା “ଗଭର୍ଣ୍ଣର ହାଉସ ପେଟ୍ରୋଲ ପମ୍ପରୁ ଗଙ୍ଗନଗର ଛକ (୦.୦୦୦ କିମି ରୁ ୦.୮୬୬ କିମି) ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ ବାବଦରେ ୫. ୯୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୟୁନିଟ୍-୬ ର ଆଭ୍ୟନ୍ତରୀଣ ରାସ୍ତା ଯଥା କ୍ୟାପିଟାଲ ହସ୍ପିଟାଲ ଠାରୁ ବନଦୁର୍ଗା ମନ୍ଦିର ପର୍ଯ୍ୟନ୍ତ (୦.୦୦୦କିମିରୁ୦.୯୪୬କିମି) ରାସ୍ତାର ଉନ୍ନତି କରଣ ବାବଦରେ ୩. ୯୩ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି । ଏହି ରାସ୍ତାର ଉନ୍ନତିକରଣ ଦ୍ୱାରା LIC ଛକରୁ ଗଙ୍ଗନଗର ଛକ ଏବଂ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଦୂର ହେବା ସହ ଯାନବାହାନ ପରିବହନ ସହଜ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ସହରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଧୁନିକ ତଥା ସ୍ଥାୟୀ ସଡ଼କ ଭିତ୍ତିଭୂମି ବିକାଶର ଗୁରୁତ୍ୱକୁ ଉପଲବ୍ଧି କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ପୂର୍ତ୍ତମନ୍ତ୍ରୀ ଙ୍କ ଦ୍ଵାରା ନିଆ ଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ବାସିନ୍ଦା ମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ସେ ଆଶା ପ୍ରକଟ କରିଥିଲେ I ଉତ୍ସବରେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ୪୬ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ପୁଷ୍ପା ରାଉତ, ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ଏବଂ ପୂର୍ତ୍ତବିଭାଗର ବରିଷ୍ଠ ଅଧିକାରୀ ତଥା କେନ୍ଦ୍ରୀୟ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ କୁମାର ମହାନନ୍ଦ ଓ ଅଧିକ୍ଷଣ ଯନ୍ତ୍ରୀ ଇଂ ସଚିନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking