ଭୁବନେଶ୍ୱର: ରାଜଧାନୀରେ ନିଆରା ଢଙ୍ଗରେ ପାଳିତ ହୋଇଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ମହିଳାଙ୍କ ଭଳି କିନ୍ନରମାନେ ମଧ୍ୟ ଗୁରୁଙ୍କ ମଙ୍ଗଳ ମନାସି ଏହି ବ୍ରତ ପାଳନ କରିଛନ୍ତି । ମନ୍ଦିରରେ ମହିଳା ବ୍ରତଧାରୀଙ୍କ ଭିଡ଼ ସାଙ୍ଗକୁ ଚଳଚଞ୍ଚଳ ହୋଇଉଠିଛି ପରିବେଶ । ହାତରେ ଶଙ୍ଖା, ମଥାରେ ସିନ୍ଦୂର ଓ ପରିଧାନରେ ନୂଆ ବସ୍ତ୍ର । ଏହି ପାରମ୍ପରିକ ରୂପରେ ନଜର ଆସିଛନ୍ତି ଭୁବନେଶ୍ୱର ପଳାସପଲ୍ଲୀର କିନ୍ନର ସମାଜ ।ଓଡ଼ିଶା କିନ୍ନର ଆଖଡ଼ା ପକ୍ଷରୁ ମହାଆଡ଼ମ୍ବରରେ ଆୟୋଜିତ ହୋଇଛି ଏହି ସାବିତ୍ରୀ ପୂଜା । ବଟ ବୃକ୍ଷ ମୂଳେ ଏକାଠି ହୋଇ ଧୂପ, ଦୀପ, ନୈବେଦ୍ୟ ଓ ଫଳମୂଳ ସହ ପୂଜାର୍ଚ୍ଚନା କରିଛନ୍ତି କିନ୍ନରମାନେ । ଘଣ୍ଟ ଓ ଘଣ୍ଟିର ଶବ୍ଦରେ ପ୍ରକମ୍ପିତ ହୋଇଛି ସାରା ଅଞ୍ଚଳ । ସାଧାରଣତଃ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ କରୁଥିବା ବେଳେ, କିନ୍ନରମାନେ ଏହାକୁ ଏକ ପବିତ୍ର ‘ଗୁରୁ-ଶିଷ୍ୟ ପରମ୍ପରା’ ଭାବେ ପାଳନ କରିଛନ୍ତି ।










