ହାଇଦ୍ରାବାଦ: ପଶ୍ଚିମ ଏସିଆରେ ସଂକଟ ପରିପ୍ରେକ୍ଷୀରେ ଦେଶରେ ପେଟ୍ରୋଲିୟମ ଉତ୍ପାଦ ଯଥା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ବ୍ୟବହାରରେ ସଂଯମତା ଅବଲମ୍ବନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପରାମର୍ଶ ଦେଇଛନ୍ତି। ତେଲେଙ୍ଗାନାରେ ପ୍ରାୟ ୯୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସମୟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆମଦାନି ହେଉଥିବା ପେଟ୍ରୋଲିୟମ ସାମଗ୍ରୀକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯିବା ଉଚିତ। ଏହାଦ୍ବାରା କେବଳ ଦେଶର ବିଦେଶୀ ମୁଦ୍ରା ସଞ୍ଚୟ ହେବନାହିଁ। ଏଥସହିତ ଯୁଦ୍ଧର ପ୍ରତିକୂଳ ପ୍ରଭାବ ମଧ୍ୟ କମିଯିବ।ଗତ କିଛିବର୍ଷ ହେଲା ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବର ପ୍ରମୁଖ ସ୍ଥାନ ପାଲଟିଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ ନେଇ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି। ପ୍ରଥମତଃ ସରକାର ଶତ ପ୍ରତିଶତ ଲୋକଙ୍କ ପାଖରେ ଏଲ୍ପିଜି ପହଞ୍ଚାଇବାକୁ ଧ୍ୟାନ ଦେଉଥିଲେ। ବର୍ତ୍ତମାନ ପାଇପ୍ ଯୋଗେ ଆର୍ଥିକ ଦୃଷ୍ଟିରୁ କମ୍ ମୂଲ୍ୟରେ ଗ୍ୟାସ୍ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଉଛି।ଭାରତରେ ସଂସ୍କାର ଦ୍ରୁତଗତିରେ ଚାଲିଛି। ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି। ରାଜ୍ୟବାସୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଅଧିକ ବେଗରେ କାର୍ଯ୍ୟ କରିବେ ବୋଳି ସେ ତେଲେଙ୍ଗାନାବାସୀଙ୍କୁ ଏହି ଅବସରରେ କହିଛନ୍ତି।










