ଭୁବନେଶ୍ୱର: ହିଞ୍ଜିଳି ବ୍ଲକ ଖରିଡା ଗ୍ରାମରେ ଗତକାଲି ଘଟିଥିବା ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ଉଲ୍ଲେଖ କରି କହିଛନ୍ତି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ମୋ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଖରିଡା ଗ୍ରାମରେ ଘଟିଥିବା ଜଘନ୍ୟ କାଣ୍ଡ ପାଇଁ ମୁଁ ମର୍ମାହତ । ସିସିଟିଭିରେ ଜଣାପଡିଛି ଯେ , ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ୩ ବର୍ଷ ର ଝିଅ ଆଗରେ ତାଙ୍କ ସ୍ୱାମୀଙ୍କ ସାନ ଭାଇ ନିର୍ମମ ଭାବେ ହତ୍ୟା କରିଥିଲେ । ନ୍ୟାୟ ପାଇଁ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରାଗଲା । ମାଙ୍କ ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଧୁଥିବାର ଦୃଶ୍ୟ ଓଡିଶାର ବିବେକକୁ ଆଘାତ ଦେଇଛି । ଆହୁରି ଉଲ୍ଲେଖ କରି କହିଛନ୍ତି, ଆପଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଧାରଣ କରିଥିବା ହେତୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ତୁରନ୍ତ ପୋଲିସ କୁ ନିର୍ଦ୍ଦେଶ ଦେଇ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରାଯାଉ ୩ ବର୍ଷର ଝିଅକୁ ତୁରନ୍ତ ରାଜ୍ୟ ଯତ୍ନ, କ୍ଷତିପୂରଣ ପୁନର୍ବାସ ଦେବା ପାଇଁ ଚିଠିରେ ଦାବି କରିଛନ୍ତି । ଏଥିସହ ନ୍ୟାୟ ପାଇଁ ପୀଡିତା ଜଣଙ୍କ ଧାରଣାରେ ବସିଥିବା ବେଳେ ପୋଲିସ କାହିଁକି କାର୍ଯ୍ୟାର୍ନୁଷ୍ଠାନ ନେଲା ନାହିଁ ତାହା ତଦନ୍ତ କରନ୍ତୁ । ଆଉ ଏଭଳି ଘଟଣା ଯେପକି ପୁନର୍ବାର ନ ଘଟେ ସେଉପରେ ନଜର ରଖନ୍ତୁ ବୋଲି ନବୀନ ଚିଠିରେ ଲେଖିଛନ୍ତି । ସୂଚନାଥାଉକି, ଗତକାଲି ହିଞ୍ଜିଳି ବ୍ଲକ ଖରିଡା ଗ୍ରାମରେ ଜଣେ ମହିଳା ନ୍ୟାୟ ପାଇଁ ତା ସ୍ୱାମୀର ଘର ଆଗରେ ୩ ବର୍ଷର ଝିଅକୁ ଧରି ଧାରଣାରେ ବସିଥିଲେ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାରୁ ମହିଳାଙ୍କ ଦିଅର ଟାଙ୍ଗିଆରେ ହାଣିଦେଇଥିଲେ ।










