ଭୁବନେଶ୍ଵର: ଗୁରୁବାର ବସିବ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ। ଏହା ପୂର୍ବରୁ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସ୍ଵତନ୍ତ୍ର ଅଧିବେଶନ ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଅଛି କହି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ୍ କରିଛନ୍ତି। ସେପଟେ ବିରୋଧୀଙ୍କ ଅସଲ ମୁଖା ଖୋଲି ଯାଇଛି କହି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରା ପାଲଟା ଆକ୍ରମଣ କରିଛନ୍ତି। ସେପଟେ ଧୂଆଁବାଣ ସରକାର କହି କଂଗ୍ରେସ ବିଧାୟକ ତାରାବାହିନୀ ପତି କଟାକ୍ଷ କରିଛନ୍ତି।
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ ଆଣିଛନ୍ତି ଯେ, କୌଣସି ବିଲ୍ ଆସିନି କି କାର୍ଯ୍ୟକ୍ରମ ବି ନାହିଁ। ସରକାର କେବଳ ଗୋଟିଏ ଡିବେଟ୍ କରିବେ। ଏହା ବାହାରେ ମଧ୍ୟ ହୋଇପାରି ଥାନ୍ତା। ଜୟଦେବ ଭବନରେ କରି ପାରିଥାନ୍ତେ। ହେଲେ ତାହା ନକରି କଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର। ବିଜେଡି ନେତା ପୁଣି କହିଛନ୍ତି ଯେ, ସରକାର ମହିଳା ସଂରକ୍ଷଣକୁ ରାଜନୈତିକ ଦୃଷ୍ଟିରେ ଦେଖୁଛନ୍ତି। ୨୦୨୩ରେ ଏହା ସଂସଦରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହାକୁ ତୁରନ୍ତୁ ଲାଗୁ କରନ୍ତୁ। ବିଧାନସଭାକୁ ଆମେ ସମ୍ମାନ ଦେଉ, ତେଣୁ ଆମେ ଯିବୁ। ହେଲେ ଏ ବିଧାନସଭା ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଅଛି। ଆମେ ଶୁଣୁଛୁ ବିରୋଧୀ ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣି ସମାଲୋଚନା କରିବାକୁ ସରକାର ବିଧାନସଭା ଡାକିଛନ୍ତି।
ଏହାର ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଓଡ଼ିଶାର ଜନ ସାଧାରଣ ବୁଝି ସାରିଲେଣି ବିରୋଧୀ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ତାଙ୍କର ଅସଲ ମୁଖା ଏବେ ଖୋଲି ଯାଇଛି। ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧି ବଢ଼ିଥାନ୍ତା। ହେଲେ ବିରୋଧୀ ଏହାକୁ ହେବାକୁ ଦେଲେ ନାହିଁ । ନବୀନ ବାବୁ ଦୀର୍ଘ ଦିନ ଧରି ମହିଳାଙ୍କୁ ଠକି ଭୋଟ ନେଉଥିଲେ। ଯାହାର ଅସଲ ମୁଖ ଏବେ ଖୋଲି ଯାଇଛି। ଆସନ୍ତାକାଲି ଏ ବାବଦରେ ଆଲୋଚନା ହେବ।
କଂଗ୍ରେସ ବିଧାୟକ ତାରାବାହିନୀ ପତି ଏନେଇ କହିଛନ୍ତି ଯେ, ପୂର୍ବ ବିଲକୁ ୨୦୨୪ ନିର୍ବାଚନରେ ଲାଗୁ କରେଇବା କଥା। ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏ ବିଲ୍ ଆଣିଛନ୍ତି। ଆସନ୍ତାକାଲି ଅଧିବେଶନରେ ସରକାର ନିନ୍ଦା ପ୍ରସ୍ତାବ ଆଣିବେ। ଆମେ ମଧ୍ୟ ତାଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆଣିବୁ। ଆମେ ମଧ୍ୟ ତାଙ୍କୁ ଉଚିତ ଜବାବ ଦେବୁ। ସେମାନେ ବିଜେପିର ପ୍ରଚାର କରିବାରେ ଗରିବ ଲୋକଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ସରକାର ଲୋକଙ୍କ ସରକାର ନୁହେଁ ଧୂଆଁବାଣର ସରକାର।










