ଭୁବନେଶ୍ୱର: ବିଜେଡି ଶାସନ ବେଳେ ଦାନ ମାଝୀ ଘଟଣାରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଥିଲା। କିଛିମାସ ଓଡ଼ିଶା ଉଠଲା ପଡ଼ିଲା। ସେତେବେଳେ ବିରୋଧୀ ଦଳ ଥିବା ବିଜେପି ଏହି ଇସ୍ୟୁକୁ ଦୀର୍ଘକାଳ ବଞ୍ଚାଇ ରଖିବାକୁ ଚେଷ୍ଟା କରିଥିଲା। ବିଧାନସଭାରେ ହଟ୍ଟଗୋଳଠୁ ନେଇ ରାଜରାସ୍ତାରେ ତମ୍ବିତୋଫାନ କରିଥିଲା। ଗଣଦାରିଦ୍ର୍ୟ ପାଇଁ ଅପବାଦ ମୁଣ୍ଡାଇଥିବା ଓଡ଼ିଶାକୁ ବିଜେପି ଶାସନ କରିବାର ଇତିମଧ୍ୟରେ ଦୁଇବର୍ଷ ପୂରିବାକୁ ଯାଉଛି। ଅଥଚ ରାଜ୍ୟର ଗଣଦାରିଦ୍ର୍ୟ ଆହୁରି ଉତ୍କଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶିରେ ଯାହା ଘଟିଲା, ଏକବିଂଶ ଶତାବ୍ଦୀରେ ବିଶ୍ବର ଅନ୍ୟତ୍ର କେଉଁଠି ଏପରି ଅଭାବନୀୟ ଘଟଣା ଘଟେନାହିଁ। ଏଥିପାଇଁ ରାଜ୍ୟବାସୀଙ୍କ ମୁଣ୍ଡ ଲଜ୍ଜାରେ ନଇଁଯାଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏକ ପ୍ରେସ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ୨ ମାସ ତଳୁ କାଲା ମୁଣ୍ଡାଙ୍କ ମୃତ୍ୟୁ ହେବାରୁ ତାଙ୍କ ଶବକୁ ଡିଆନାଳୀ ଗ୍ରାମରେ ପୋତିଦିଆଯାଇଥିଲା। ତେବେ ଗ୍ରାମ୍ୟ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟରେ ଥିବା ଜମାରାଶିକୁ ପାଇବା ପାଇଁ ତାଙ୍କ ସାନଭାଇ ଜିତୁ ମୁଣ୍ଡା ଉକ୍ତ ଜମାଖାତା ନେଇ ବ୍ୟାଙ୍କ ଅଧିକାରୀଙ୍କୁ ସାକ୍ଷାତ କଲେ।
ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଯାହା କହିଲେ ତାହା ଯେ କୌଣସି ସଚେତନ ବ୍ୟକ୍ତିର ବିବେକକୁ ଦଂଶନ କରିବ। ଯାହା ନାମରେ ଆକାଉଣ୍ଟ ଅଛି ସେ ଆସିଲେ ହିଁ ପଇସା ମିଳିବ ବୋଲି କୁହାଯିବାରୁ ଜିତୁ ବଡ଼ଭଉଣୀର ଗଳିତ ଶବକୁ ଖୋଳି କାନ୍ଧରେ ବୋହି ବ୍ୟାଙ୍କରେ ପହଞ୍ଚିଲେ। ଏହାଠାରୁ ଆଉ ହୃଦୟବିଦାରକ ଘଟଣା ଆଉ କ’ଣ ହୋଇପାରେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ମହିଳା ସଂରକ୍ଷଣକୁ ନେଇ ପୂରା ଦମ୍ରେ ରାଜନୀତିରେ ମାତିଥିବା ବିଜେପି ସରକାର ‘ଜନ ଆକ୍ରୋଶ’ ରାଲି ଛାଡ଼ି ରାଜ୍ୟରୁ ଗଣଦାରିଦ୍ର୍ୟ ଦୂର କରିବାକୁ ପ୍ରାଥମିକତା ଦିନ୍ତୁ; ନହେଲେ ଆଗକୁ ଜନ ଆକ୍ରୋଶର ସମ୍ମୁଖୀନ ହେବେ ବୋଲି ସେ ସତର୍କ କରାଇଦେଇଛନ୍ତି। ‘ବେଟି ବଚାଓ, ବେଟି ପଢ଼ାଓ’ ନାରା ଦେଉଥିବା ବିଜେପିର ଡବଲ ଇଂଜିନ ସରକାରର ମହିଳାଙ୍କ ପ୍ରତି ଏହା କି ପ୍ରକାର ସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି, ଏପରି ଲଜ୍ଜାକର ସ୍ଥିତି ଉପୁଜିବାରୁ କ୍ଷତିଗ୍ରସ୍ତ ପରିବାରକୁ କେବଳ ତାଙ୍କ ପ୍ରାପ୍ୟ ଦେଇ ନିଜ ଦାୟିତ୍ବ ସାରିଦେବା କଟା ଘା’ରେ ଚୂନ ଛଡ଼ା ଆଉ କିଛି ନୁହେଁ। ଉକ୍ତ ପରିବାରକୁ ତୁରନ୍ତ ଅନ୍ୟୁନ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ସହ ଗ୍ରାମାଂଚଳରେ ଥିବା ବ୍ୟାଙ୍କଗୁଡ଼ିକର ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ଦିଗରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ପିସିସି ପକ୍ଷରୁ ମୁଖପାତ୍ର ଡ.ମନିଷା ଦାସ ପଟ୍ଟନାୟକ ଏହି ଘଟଣାରେ ମହିଳା ଥାନାରେ ଏତଲା ଦେବା ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।










