ଭୁବନେଶ୍ୱର: ସଂସଦରେ ସୀମା ପୁନଃ ନିର୍ଦ୍ଧାରଣ ବିଲ ନେଇ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡିଶାର ସବୁ ସାଂସଦଙ୍କୁ ଚିଠି ଲେଖିବା ପରେ ଆଜି ନବୀନଙ୍କ ଉଦ୍ଦେଶ୍ୟରେ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରା ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ ନେଇ ନବୀନ ଯେଉଁ ଆଶଙ୍କା ଦେଇଛନ୍ତି ତାହା କେବଳ ଭୟ ସୃଷ୍ଟି କଲା ଭଳି ମନେ ହେଉଛି । ନବୀନଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କ ପାଖରୁ ଏଭଳି ପ୍ରତିକ୍ରିୟା ଶୋଭା ପାଉନାହିଁ ।
ଏହି ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ । ଭାରତର ସମ୍ବିଧାନ ଏବଂ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍ । ଦେଶର କୌଣସି ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ଏବଂ ଓଡ଼ିଶାର ହକ୍ ଏଥିରୁ ବାଦ୍ ପଡ଼ିବ ନାହିଁ ।
ନୂତନ ସୀମା ନିର୍ଦ୍ଧାରଣ ବା ‘ଡି-ଲିମିଟେସନ’ ପ୍ରକ୍ରିୟା ପରେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯% ରୁ ହ୍ରାସ ପାଇ ୩.୪% ହୋଇଯିବ ବୋଲି ଆପଣ ଚିଠିରେ ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିଯିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟର ଜନସାଧାରଣଙ୍କୁ ଭୟଭୀତ କରିବା ଉଚିତ୍ ହେଉନାହିଁ । ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ, କେବଳ ଧୈର୍ଯ୍ୟର ସହ ଅପେକ୍ଷା କରିବା ଆବଶ୍ୟକ ।
ଆପଣ ଏବଂ ଆପଣଙ୍କ ଦଳ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସମର୍ଥନ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ, ମାତ୍ର ଏହାକୁ ଖୋଲା ହୃଦୟରେ ଆମେ ସମସ୍ତେ ସମର୍ଥନ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଶା ସବୁବେଳେ ଅଗ୍ରାଧିକାରରେ ରହିଆସିଛି । ଏହି ସଂଶୋଧନ ବିଲ୍ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଭାରତବର୍ଷର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ । ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ, ଦେଶର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ରାଜନୈତିକ ଫାଇଦା ଅପେକ୍ଷା ଦେଶର ସ୍ୱାର୍ଥକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍ ବୋଲି ମୁଁ ମନେକରୁଛି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।










