ଗଞ୍ଜାମ: ଦୁର୍ବ୍ୟବହାର ଶିକାର ପରେ ବି ନ୍ୟାୟ ନ ମିଳିବା ପ୍ରତିବାଦରେ ୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁରରେ କାର୍ଯ୍ୟରତ ୧୭ ଜଣ ସିଆରସିସି ସାମୂହିକ ଇସ୍ତଫା ଦେଇଛନ୍ତି । ସେମାନେ ଇସ୍ତଫା ପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ସିଆରସିସିମାନେ ନିଜ ମୂଳ ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ କାମ ଦିଆଯାଉଛି । ଏଥିଯୋଗୁଁ ବହୁ ସିଆରସିସି ମାନସିକ ଚାପରେ ରହୁଥିବା ଅଭିଯୋଗ କରୁଛନ୍ତି । ନିର୍ବାଚନ ପରିଚାଳନା ଓ ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯିବା ସହ ପ୍ରତିଦିନ ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ପଡୁଛି । ଏହା ସତ୍ତ୍ୱେ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରିବର୍ତ୍ତେ ଉଚ୍ଚପଦସ୍ଥ ଅଧିକାରୀମାନେ ତାଙ୍କୁ ତାଗିଦ କରୁଛନ୍ତି । ଅନ୍ୟମାନଙ୍କ ସମମ୍ୁଖରେ ସେମାନଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ କରୁଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ସିଆରସିସିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ରଙ୍ଗେଇଲୁଣ୍ଡା ବିଇଓ ଓ ଡିଇଓଙ୍କୁ ଜଣାଇବା ପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସିଆରସିସି ମାନେ ଅଭିଯୋଗ କରିଛନ୍ତି ।










