ଭୁବନେଶ୍ୱର: ବିଳମ୍ବିତ ରାତିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ। ସାନ ଭାଇକୁ ଗୋଡ଼ାଇ ଗୋଡ଼ାଇ କଟୁରିରେ ହାଣିଲା ବଡ଼ ଭାଇ ଓ ତାର ସହଯୋଗୀ। ଏଭଳି କାଣ୍ଡ ଘଟିଛି ସାଲିଆ ସାହି ମହାବୀର ନଗର ଛକରେ। ବଡ଼ ଭାଇ ଚିତ୍ତରଞ୍ଜନ ସାମନ୍ତ ରାୟ ଏବଂ ତାର ସହଯୋଗୀ ହଠାତ୍ ସାନ ଭାଇ ନିରଞ୍ଜନ ସାମନ୍ତରାୟକୁ କଟୁରିରେ ହାଣିଥିଲେ। ପରେ ଗୁରୁତର ନିରଞ୍ଜନ ସାଲିଆ ସାହିରୁ ଦୌଡ଼ି ଦୌଡ଼ି ଆସି ନୟାପଲ୍ଲୀ ଥାନାରେ ପହଞ୍ଚିଥିଲେ । ନୟାପଲ୍ଲୀ ଥାନା ଅଧିକାରୀ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ନିରଞ୍ଜନଙ୍କ ପେଟ ସହ ଶରୀରର ଅନ୍ୟ ଭାଗରେ ୮ରୁ ଅଧିକ ଜାଗାରେ କଟୁରୀ ଚୋଟ ଲାଗିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ମୈତ୍ରିବିହାରି ଥାନା । ତେବେ ଏନେଇ ନିରଞ୍ଜନଙ୍କ ବାପା କହିଛନ୍ତି, ବଡ଼ ପୁଅ ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ଝଗଡ଼ା କରେ । ଆଉ ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଛି । ତେବେ ଆହତ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଶିବ ପ୍ରସାଦ ମହାନ୍ତି ।










