26.9 C
Bhubaneswar
Wednesday, April 8, 2026
Homeଓଡିଶାସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି। ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ନିମନ୍ତେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତିତା ଆବଶ୍ୟକ ବୋଲି କହିଥିଲେ। ନିଜ ଭିତରେ ସଦାସର୍ବଦା ସକରାତ୍ମକ ଚିନ୍ତାଧାରା ଓ ମନୋଭାବ ଆଣିବା ଜରୁରୀ। କାରଣ ନକରାତ୍ମକ ଚିନ୍ତାଧାରା ଓ ଏହାର କୁପ୍ରଭାବ ଛାତ୍ରଛାତ୍ରୀମାନୁ ଅବନତି ଆଡ଼କୁ ନେଇଯାଇଥାଏ ବୋଲି ପ୍ରଫେସର କର କହିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଜୀବନରେ ପିତାମାତା ଓ ଅଧ୍ୟାପକ ଅଧ୍ୟାପିକା ଗୁରୁ ସାଜିଥିବା ବେଳେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି ପ୍ରଫେସର କର କହିଥିଲେ। ସାମ୍ପ୍ରତିକ ଯୁଗରେ କୃଷି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ସହିତ ସୋଆ କୃଷି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କୃଷି ଉଦ୍ୟୋଗୀ ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷାନୁଷ୍ଠାନରେ ଅଭିନବ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଏହା ଅନେକ ସଫଳତା ହାସଲ କରିପାରିଛି। ତେବେ ଶୃଙ୍ଖଳା, ସମୟାନୁବର୍ତିତା ଓ ଅଧ୍ୟବସାୟ ଭଳି ଗୁଣ ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଠାରେ ରହିବା ଜରୁରୀ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବାର ଉତ୍କଣ୍ଠା ରହିବା ଜରୁରୀ ଯାହା ସେମାନଙ୍କୁ ଗବେଷଣା କ୍ଷେତ୍ରରେ ବିଶେଷ ସାହାଯ୍ୟ କରିବ। କୃଷି ଭିତିକ ବିଭିନ୍ନ ପ୍ରକାର ସମସ୍ୟା ଗୁଡିକର ସମାଧାନ ପାଇଁ କିପରି କୃଷକମାନେ ମହାବିଦ୍ୟାଳୟ ସହିତ ଜଡିତ ହୋଇପାରିବେ ସେ ବିଷୟରେ ସେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସ୍‌ନ ପ୍ରଫେସର (ଡକ୍ଟର) ମଞ୍ଜୁଳା ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କେବଳ ପୁସ୍ତକ ଜ୍ଞାନ ଦ୍ୱାରା ଶିକ୍ଷାକୁ ସୀମିତ ନ ରଖି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାଗୁଡିକୁ ବିକଶିତ କରିବା ଜରୁରୀ। ନିଜ ଉପରେ ବିଶ୍ୱାସ ରଖି ପ୍ରତି ମୁହୂର୍ତରେ କିଛି ଶିଖିବାର ଉତ୍କଣ୍ଠା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିବା ଦରକାର ବୋଲି ସେ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ନିମନ୍ତେ ଆହ୍ୱାନ ଦେଇଥିଲେ। ନିଜର ଅଭିଭାବକ ଓ ଶିକ୍ଷକମାନଙ୍କୁ ସଦାସର୍ବଦା ସମ୍ମାନ ପ୍ରଦାନ କରିବା ଆବଶ୍ୟକ। ସେମାନଙ୍କର ଆର୍ଶୀବାଦ ଓ ନିଜ ଭିତରେ ଥିବା ସକାରାତ୍ମକ ଚିନ୍ତାଧାରା ହିଁ ସେମାନଙ୍କୁ ନିଜ ଲକ୍ଷ୍ୟ ସାଧନ କରିବାରେ ସହାୟକ ହେବ। ନିଜର ଓ ସମାଜ ପାଇଁ କିଛି କରିବାର ମନୋଭାବ ରଖିବା ଆବଶ୍ୟକ ଓ ଏଥି ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଆବେଗକୁ ସଦାସର୍ବଦା ଅନୁସରଣ କରି ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରୟାସ କରିବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ। ଏହି ଅବସରରେ କୃଷି ମହାବିଦ୍ୟାଳୟର ବାର୍ଷିକ ସ୍ମରଣିକା “ଅର୍ଣ୍ଣ-୨୦୨୬” ଉନ୍ମୋଚିତ ହୋଇଥିଲା। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇଏଏସ୍‌୍‌ର ଏକ୍ସଟେନ୍ସନ ଆଣ୍ଡ କମ୍ୟୁନିକେସନ୍ ବିଭାଗର ମୁଖ୍ୟ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଆଇଏଏସ୍‌ର ବରିଷ୍ଠ ପ୍ରଫେସର, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôଲା। ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking