ନୂଆଦିଲ୍ଲୀ: ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ । ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ । ସୋସିଆଲ ମିଡିଆ -ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ୨ ସପ୍ତାହ ପାଇଁ ଇରାନକୁ ସମୟ ଦେବାକୁ ଗତ ରାତିରେ ପାକିସ୍ତାନ ଆମେରିକାକୁ ଅନୁରୋଧ କରିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଏ ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ଶେଷରେ ଟ୍ରମ୍ପ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ଷ୍ଟ୍ରେଟ ଅଫ ହର୍ମୁଜ ଖୋଲିବା ସର୍ତ୍ତରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ଏକ୍ସରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଆମେରିକା ବିରୋଧରେ ଇରାନ ସହ ଏକାଠି ଛିଡା ହେଲେ ରୁଷ ଓ ଚୀନ । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭିଟୋ ପାୱାରର ବ୍ୟବହାର କରି ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ବଳ ପ୍ରୟୋଗ ପ୍ରସ୍ତାବକୁ ବିରୋଧ କରିଛନ୍ତି । ବାହାରିନ ଦ୍ୱାରା ସୁରକ୍ଷା ପରିଷଦରେ ଆଗତ ପ୍ରସ୍ତାବକୁ ଚୀନ ଏବଂ ଋଷିଆ ଦ୍ୱାରା ଭିଟୋ ପ୍ରୟୋଗ କରିଛନ୍ତି । ଏହି ପ୍ରସ୍ତାବ ସପକ୍ଷରେ ୧୧ଟି ଭୋଟ ପଡିଥିବା ବେଳେ କଲମ୍ବିଆ ଏବଂ ପାକିସ୍ତାନ ଭୋଟଦାନରୁ ବିରତ ରହିଥିଲେ । ମଙ୍ଗଳବାରର ପ୍ରସ୍ତାବଟି ସୁରକ୍ଷା ପରିଷଦର ପର୍ଯ୍ୟାୟକ୍ରମେ ସଭାପତି ପଦ ଧାରଣ କରୁଥିବା ବାହାରିନ ଦ୍ୱାରା ଏବଂ ଗଲ୍ଫ ସହେଯାଗ ପରିଷଦ ସଦସ୍ୟ ରାଷ୍ଟ୍ର ଏବଂ ଜୋର୍ଡାନ ସହିତ ସମନ୍ୱୟରେ ପ୍ରସ୍ତୁତ କରାଯାଇଥିଲା । ବାହାରିନର ପ୍ରାରମ୍ଭିକ ପ୍ରସ୍ତାବ ଦେଶଗୁଡିକୁ ସମସ୍ତ ଆବଶ୍ୟକ ପଦକ୍ଷେପ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ଯାହା ଜାତିସଂଘର ଭାଷାରେ ସାମରିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଭୁକ୍ତ ହୋଇଥାନ୍ତା । ଏହା ଦ୍ୱାରା ହର୍ମୁଜ ପ୍ରଣାଳୀ ଦେଇ ନୌଚାଳନା ସୁନିଶ୍ଚିତ ହୋଇପାରିବ ଏବଂ ଏହାକୁ ବନ୍ଦ କରିବାର ପ୍ରୟାସକୁ ରୋକିବାକୁ ହେବ ।










