28.1 C
Bhubaneswar
Saturday, April 4, 2026
Homeଓଡିଶାପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ:...

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି ଅନୁମତି ଓଡ଼ିଶାର ପ୍ରଭୂତ କ୍ଷତି କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ରାଜ୍ୟବାସୀଙ୍କ ଉପରେ ଆଉ ଏକ ବିପଦକୁ ଲଦିଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ବିମାନ ବନ୍ଦର ପାଇଁ ପୁରୀ ଜଙ୍ଗଲ ବିଭାଗ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦେବ। ମୋଟ ୧୧୬୪ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଗ୍ରୀନଫିଲ୍ଡ ଏୟାରପୋର୍ଟ ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀ ଯାତାୟତର କ୍ଷମତା ରଖିବ। ଏହି ଅନୁମତି ସହ କିଛି ସର୍ତ୍ତ ବି ରଖାଯାଇଛି। ଜଙ୍ଗଲ ଜମି ଡାଇଭର୍ସନ୍ ପରେ ସମାନ ପରିମାଣର ଜମିରେ କମ୍ପେନ୍ସେଟରୀ ଆଫରେଷ୍ଟେସନ୍ କରିବାକୁ ପଡ଼ିବ। ବିଭିନ୍ନ ପରିବେଶଗତ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ସର୍ତ୍ତ ପାଳନ କରିବାକୁ ହେବ।

ତେବେ ଏହି ପ୍ରସଙ୍ଗରେ ସେ ମନେ ପକାଇ ଦେଇଛନ୍ତି, ପୂର୍ବରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)ପୁରୀରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଆଖପାଖ ଅଞ୍ଚଳକୁ ତିନି ବର୍ଷ ପାଇଁ “ରେଡ୍ ଜୋନ୍” (ନୋ-ଫ୍ଲାଇ ଜୋନ୍) ଘୋଷଣା କରାଯାଇଥିଲା। ଏହାର ଅବଧି 25 ସେପ୍ଟେମ୍ବର, 2028 ପର୍ଯ୍ୟନ୍ତ ରହିଛି। ସମ୍ଭାବ୍ୟ ବାୟୁ ଅନୁପ୍ରବେଶ ବିରୁଦ୍ଧରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ନିଷେଧ ସମସ୍ତ ଅନଧିକୃତ ଡ୍ରୋନ୍, ମାନବହୀନ ବିମାନ ଏବଂ ଆକାଶ ଫଟୋଗ୍ରାଫିକୁ ନିଷେଧ କରିଥିଲା। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପାଇଁ ଅନୁମତି ମିଳିଥିବା ବେଳେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସର କିମ୍ବା ଆକାଶ ମାର୍ଗରୁ ଏହାର ଚିତ୍ର ଊତୋତୋଳନ ପାଇଁ ବାରଣ କରାଯାଇଛି। ବିମାନ ବନ୍ଦର କାର୍ୟ୍ୟକାରୀ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ଉପରୁ ଆକାଶ ମାର୍ଗରେ ଫଟୋ ଊତ୍ତୋଲନକୁ କିଭଳି ବାରଣ କରାଯିବ ଏହାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ବିମାନଗୁଡ଼ିକର ଗର୍ଜନତର୍ଜନରେ ସୃଷ୍ଟି ହେଉଥିବା ତରଙ୍ଗ ଶ୍ରୀ ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ମୁଖ୍ୟତଃ ଗୁରୁତର ପରିବେଶଗତ କ୍ଷତି ଏବଂ ଆଇନଗତ ଅବରୋଧ ଉପରେ କେନ୍ଦ୍ରିତ ପ୍ରମୁଖ ବିପଦ ସୃଷ୍ଟିକରିବ। ମୁଖ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସୁରକ୍ଷାମୂଳକ ଉପକୂଳ ଜଙ୍ଗଲର ଧ୍ୱଂସ, ବିଲୁପ୍ତପ୍ରାୟ ପ୍ରଜାତି ପ୍ରତି ବିପଦ, ଘୂର୍ଣ୍ଣିବାତ୍ୟା ଆଶଙ୍କା ରହିବ ଏବଂ ବାଲୁଖଣ୍ଡ ଅଭୟାରଣ୍ୟ ଭଳି ସଂରକ୍ଷିତ ଅଞ୍ଚଳ ନିକଟରେ ପରିବେଶଗତ ନିୟମାବଳୀର ସମ୍ଭାବ୍ୟ ଉଲ୍ଲଂଘନ ଅନ୍ତର୍ଭୁକ୍ତ ରହିଛି।ଏହି ପ୍ରକଳ୍ପରେ 13,000ରୁ ଅଧିକ ଗଛ (କାଜୁରିନା/କାଜୁ) ସଫା କରାଯିବ ଯାହା ଉପକୂଳକୁ ଘୂର୍ଣ୍ଣିବାତ୍ୟାରୁ ସୁରକ୍ଷା ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଏଥି ସହିତ ଏହା ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ଅଧିକ ବିପଦ ସୃଷ୍ଟି କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ସେହିଭଳି ଏହି ସ୍ଥାନ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ (କୃଷ୍ଣସାର ମୃଗଙ୍କ ବାସସ୍ଥାନ), ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ବସା ଭୂମି ଏବଂ ଡଲଫିନ୍ ପାଇଁ ବାସସ୍ଥାନ ନିକଟରେ ଅବସ୍ଥିତ। ଏହା ବାଦ୍ ସ୍ଥାନଟି ପ୍ରବାସୀ ପକ୍ଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ। ଚିଲିକା ହ୍ରଦ ନିକଟରେ କେନ୍ଦ୍ରୀୟ ଏସୀୟ ଫ୍ଲାଏୱେକୁ ପ୍ରଭାବିତ କରିବାର ବିପଦ ଆଶଙ୍କା ସୃଷ୍ଟି କରୁଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (DGCA) ପକ୍ଷୀ ଆକ୍ରମଣ ସମ୍ପର୍କିତ ବିପଦକୁ ଚିହ୍ନଟ କରିଛନ୍ତି, ଉପକୂଳ ନିକଟରେ ସମ୍ଭାବ୍ୟ ପକ୍ଷୀ ବିପଦକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି। ଏଗୁଡ଼ିକୁ କାହିଁକି ଅଣଦେଖା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ “ସବୁଜ ଅଞ୍ଚଳ”ରୁ “ପର୍ଯ୍ୟଟକ ଭିତ୍ତିଭୂମି ଜୋନ୍” ରେ ଭୂମି ବର୍ଗୀକରଣକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା, ଯାହା ସ୍ଥାନୀୟ ପରିବେଶଗତ ଚିନ୍ତା ସୃଷ୍ଟି କରିଛି। ପ୍ରକଳ୍ପ ହେଲେ ପ୍ରକଳ୍ପର ପୂର୍ଣ୍ଣ ଅନୁମୋଦନ ପାଇବା ପୂର୍ବରୁ ଜମି ହେରଫେର ଏବଂ ଅବୈଧ ନିର୍ମାଣ କାର୍ଯ୍ୟକଳାପ ବିଷୟ ଚିନ୍ତାର କାରଣ ହୋଇଛି। ସେ ଆହୁରି କହିଛନ୍ତି, ଏମିତିରେ ମଧ୍ୟ ଭୁବନେଶ୍ବରଠାରୁ ମାତ୍ର ୬୦ କିମି ଦୂରରେ ଅବସ୍ଥିତ ପୁରୀଠାରେ ଆଉ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଦୌ ଆବଶ୍ୟକତା ନାହିଁ। ଦେଶର ପ୍ରସିଦ୍ଧ ଚାରିଧାମର ଆଧ୍ୟାତ୍ମିକ ପରିବେଶକୁ ଏଭଳି ନଷ୍ଟ କରିବାର ଅଭିପ୍ରାୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅତି ଆବଶ୍ୟକ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାର ହାତ ଟେକିଦେଉଥିବା ବେଳେ ଅନାବଶ୍ୟକ ପୁରୀ ବିମାନ ବନ୍ଦର ବେଳେ ସରକାର ଏତେ ଉତ୍ସାହତ କାହିଁକି ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking