ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଓଡିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ବିଭୁତି ଭୂଷଣ ମହାପାତ୍ର ରାଜ୍ୟରେ ଆଇନ ଓ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଚିନ୍ତା ପ୍ରକଟ କରି ଗୃହ ବିଭାଗ ଉପରେ ଖୁବ ବର୍ଷିଛନ୍ତି । ସତ୍ୟକୁ ଚୁପ୍ କରାଇବା ପାଇଁ ସତ୍ତାର ଲାଠି ଚଳାଉଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା, ଶଶୁର ଘର ଜିଲ୍ଲା ଓ ବସବାସ କରୁଥିବା ଜିଲ୍ଲା ଯଥା କେଂଧୁଝର, ମୟୁରଭଞ୍ଜ ଓ ଭୁବନେଶ୍ୱରରେ ମହିଳା ନିର୍ଯାତନାରେ ରାଙ୍କ ଏକ, ଦୁଇ ଓ ତିନି । ବହୁ ଚର୍ଚ୍ଚିତ ବଳାତ୍କାରୀ ପୀଡିତା ଘୁଁଘୁର ମିଶ୍ରଙ୍କ ଘଟଣାର ତଦନ୍ତ ପ୍ରକ୍ରିୟା ଓଡିଶା ଶାସନ ଓ ପୁଲିସ ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆଣିଥିବା କହିଛନ୍ତି । କମିସନରେଟ ପୋଲିସର ଅତିରିକ୍ତ କମିଶନର ଆନ୍ଦୋଳନକାରୀଙ୍କ ଗୋଡ ନିକଟରୁ ବିମାନ ଭଡା, ହୋଟେଲ ଭଡା, ଖାଇବା ଖର୍ଚ୍ଚ ଓ ଫେରିବା ପାଇଁ ଗାଡି ଭଡା ନେବା ଘଟଣା ପୋଲିସ ବିଭାଗର ଅସଲ ମୁଖା ଖୋଲିଛି ବୋଲି କହିଛନ୍ତି ଶ୍ରୀ ମହାପାତ୍ର । ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସାନ ଭାଇକୁ ଗିରଫ ନକରିବା ଘଟଣାକୁ ଉଦାହରଣ ଦେଇ, ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ମହାପାତ୍ର।
ଆର୍ଥିକ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ସରକାର, ଆମ ଟିକସ ପଇସା ରେ କଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଭିଯୁକ୍ତକୁ ଧରିବାକୁ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ନେବା ଘଟଣାର ନ୍ୟାୟିକ ତଦନ୍ତ ଦାବି ସହ ଭୁବନେଶ୍ୱରରେ ଯଦି ଏଭଳି ଅବସ୍ଥା, ତେବେ ଉପାନ୍ତ ଅଂଚଳ କଥା ଉଠାଇ ଚିନ୍ତା ବ୍ୟକ୍ତ କରିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମହାପାତ୍ର । ପିସିସିର ଅନ୍ୟତମ ମୁଖପାତ୍ର ଆଡ଼ଭୋକେଟ ଜୟଶ୍ରୀ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ବାଃ ବାଃ ରେ ସଫଳତା ଉପରେ ମଧ୍ୟ ପ୍ରଶ୍ନ କରିବା ସହ ଭୁବନେଶ୍ୱର ସହର ମହିଳାଙ୍କ ପାଇଁ ସୁରକ୍ଷିତ ସହର ବୋଲି ବିଜେପି ନିଜ ପିଠି ନିଜେ ଥାପୁଡ଼େଇବା ବେଳେ ଭୁବନେଶ୍ୱର ରେ ରକ୍ଷକ ଭକ୍ଷକ ସାଜିଛି ବୋଲି ଶ୍ରୀମତୀ ପାତ୍ର କହିଛନ୍ତି ଏବଂ ସ୍ୱଚ୍ଛ ନିରପେକ୍ଷ ତଦନ୍ତ ଦାବି କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ମହିଳା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିବା ସହ ଗୃହ ବିଭାଗ ଭୁଶୁଡ଼ି ପଡ଼ିଥିବା ବେଳେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ରାଜଧାନୀ ଛାତି ଉପରେ ମହିଳାଙ୍କୁ ଦୁଷ୍କର୍ମ ଅଥଚ ଭୁବନେଶ୍ୱର ମହିଳା ସାଂସଦ ନୀରବଦ୍ରଷ୍ଟା କାହିଁକି ପ୍ରଶ୍ନ କରିବା ସହ ଡିଜି ପୋଲି ସ ଙ୍କ ଅପାରଗତା କୁ ପ୍ରଶ୍ନ କରିବା ସହ ଭର୍ତ୍ସନା କରିଛନ୍ତି ଶ୍ରୀମତୀ ଜୟଶ୍ରୀ ପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ଏକ ପ୍ରସଙ୍ଗରେ ଯୋଗ ଦେଇଥିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଏବଂ ସମ୍ପାଦକ ଜୟସ୍ମିତା ମହାନ୍ତି l










