ନୂଆଦିଲ୍ଲୀ: ଭାରତକୁ ଶକ୍ତି ଯୋଗାଣ ବହନ କରୁଥିବା ୨୨ ତେଲ ଏବଂ ଗ୍ୟାସ ଟ୍ୟାଙ୍କର ପାରସ୍ୟ ଉପସାଗରର ହର୍ମୂଜରେ ଫସି ରହିଛନ୍ତି । ସେଥିମଧ୍ୟରେ ୧୦ ବିଦେଶୀ ପତାକା ଲାଗିଥିବା ଜାହାଜ ରହିଛି । ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ, ଜାହାଜ ଗୁଡିକ ମଧ୍ୟରେ ୧୮ ଭାରତୀୟ ପତାକା ଲାଗି ଥିବା ଜାହାଜ ଥିଲା । ତେବେ ଏହାରି ଭିତରେ ୬ଟି ଜାହାଜ ଭାରତରେ ପହଞ୍ଚିଛନ୍ତି । ଆଉ ୧୨ଟି ଭାରତୀୟ ଜାହାଜ ଅଟକି ରହିଛି। ଜାହାଜଗୁଡିକରେ ଏଲପିଜି, ଅଶୋଧିତ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ ବୋଝେଇ ହୋଇଛି । ଭାରତୀୟ ପତାକା ଜାହାଜ ମଧ୍ୟରୁ ତିନୋଟି ଏଲପିଜି ଟ୍ୟାଙ୍କର , ଗୋଟିଏ ଏଲଏନଜି କ୍ୟାରିଅର ଏବଂ ଚାରିଟି ଅସୋଧିତ ତୈଳ ଟ୍ୟାଙ୍କର ରହିଚି। ଗୋଟିଏ ଖାଲି ଟ୍ୟାଙ୍କରରେ ଏଲପିଜି ଭର୍ତ୍ତି କରାଯାଇଛି । ଏହି ଜାହାଜଗୁଡୁକରେ ୪୮୫ଟି ଡଙ୍ଗା ମଧ୍ୟ ରହିଛି ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବା ପ୍ରମୁଖ ନୌବାଣିଜ୍ୟ ମାର୍ଗ ହର୍ମୁଜ ପ୍ରଣାଳୀର ପଶ୍ଚିମରେ ଜାହାଜଗୁଡିକ ଲଙ୍ଗର ପକାଇଛନ୍ତି । ଏକ ପ୍ରେସ ବ୍ରିଫିଂରେ ଯୋଗ ଦେଇ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି ଯେ, ଦଶଟି ବିଦେଶୀ ପତାକା ଥିବା ଜାହାଜ ମଧ୍ୟରୁ ତିନୋଟି ଏଲପିଜି, ଚାରୋଟି ଅଶୋଧିତ ତୈଳ ଟ୍ୟାଙ୍କର ଏବଂ ତିନୋଟି ଏଲଏନଜି ବାହକ ରହିଛି । ୯୪,୦୦୦ ଟନ ଏଲପିଜି ବୋଝେଇ ଦୁଇଟି ଜାହାଜ ଏପ୍ରିଲ ୧ ସୁଦ୍ଧା ଦେଶରେ ପହଞ୍ଚିବ । ଏହି ଜାହାଜଗୁଡିକ ହର୍ମୁଜ ପ୍ରଣାଳୀରେ ଫସି ରହିଥିବା ମୋଟ ୫୦୦ ଜାହାଜ ମଧ୍ୟରେ ସାମିଲ ଅଚନ୍ତି । ସରକାରଙ୍କ ପ୍ରାଥମିକତା ହେଉଛି ହର୍ମୁଜରୁ ବାରତୀୟ ପତାକା ଲାଗିଥିବା ଜାହାଜକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ।










