28.1 C
Bhubaneswar
Sunday, March 29, 2026
Homeଓଡିଶାରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନକରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯାତନା: ବିଜେଡି

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନକରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯାତନା: ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ନର୍ଲାର ବିଜେଡି ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ବିଜେପି ଦଳର ଚାପ ଆଗରେ ମୁଣ୍ଡ ନନୁଆଁଇ କ୍ରସ୍ ଭୋଟିଂ ନକରିବାରୁ ପୋଲିସ ଲଗାଇ ନିର୍ଯାତନା ଦେଉଥିବା ଓ ପ୍ରତିଶୋଧ ପରାୟଣ ହୋଇ ରାଜନୈତିକ ଅଭଦ୍ରାମୀର ସୀମା ଲଂଘୁଛି ବିଜେପି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ପ୍ରମୁଖ ବିଜେପିକୁ କାଠଗଡାକୁ ଟାଣି ପୋଲିସ ଲଗାଇ ବିଜେଡିର ସ୍ୱର ଚପାଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ବିଧାନସଭା ଚାଲିଥିଲା ବେଳେ ବାଚସ୍ପତିଙ୍କ ବିନା ଅନୁମତିରେ ଜଣେ ବିଧାୟିକାଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରି, ତାଙ୍କ ସରକାରୀ ବାସଭବନକୁ ବଳପୂର୍ବକ ପୋଲିସ ପଶିବା ନିନ୍ଦନୀୟ । ଏହି ଘଟଣାର ପ୍ରଚ୍ଛଦପଟରେ କିଏ ରହିଛି ତାହା ସାର୍ବଜନୀନ ହେବା ଆବଶ୍ୟକ । ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ପୋଲିସର ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ।

ଶ୍ରୀମତୀ ମନୋରାମା ମହାନ୍ତି କହିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ ଝିଅ ଓ ମହିଳା ସହାୟିକାଙ୍କ ପ୍ରତି ପୋଲିସର ଦୁର୍ଭାଗ୍ୟଜନକ ଆଚରଣକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । ଅତ୍ୟନ୍ତ ଭାବପ୍ରବଣ ହୋଇ ସେ କହିଥିଲେ ଯେ, ଜଣେ ବିଧାୟିକା ଭାବେ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାରେ ମୁଁ ସମର୍ଥ ହୋଇପାରୁନାହିଁ । ଦେଢ ମାସ ତଳେ ଗୋଟିଏ ଗାଁର ରାଜସ୍ୱ ମାମଲା ନେଇ ତହସିଲଦାରଙ୍କୁ ମୋ ସ୍ୱାମୀ ଫୋନ କରିଥିଲେ । ରାଜ୍ୟସଭା ନିର୍ବାଚନର ପୂର୍ବ ଦିନ ମୋ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ଆଜି ମୋ ଅନୁପସ୍ଥିତିରେ ମୋ ସରକାରୀ ବାସଭବନକୁ ସାଧାପୋଷାକଧାରୀ ପୋଲିସ ବଳପୂର୍ବକ ପ୍ରବେଶ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଅନୁରୋଧ କରୁଛି ବିନା ମହିଳା ପୋଲିସରେ ମୋ ବାସଭବନକୁ ବଳପୂର୍ବକ ପୁରୁଷ ପୋଲିସ ପଶିବା ଘଟଣାରେ ମୋତେ ନ୍ୟାୟ ଦିଆଯାଉ ।

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟରେ ଦିନକୁ ୪ ହତ୍ୟା, ୮ ଦୁଷ୍କର୍ମ, ଚୋରି, ଡକାୟତି ଓ ଟ୍ରାଫିକ୍ ସମସ୍ୟା ବଢିଚାଲିଥିଲା ବେଳେ ପୋଲିସ ଲଗାଇ ରାଜନୈତିକ ଅଭଦ୍ରାମୀ କରୁଛି ବିଜେପି । ପବିତ୍ର ରାମନବମୀରେ ସର୍ବସାଧାରଣରେ ସରକାରୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରୁଥିବା ବିଜେପି ବିଧାୟକଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନଥିବା ପୋଲିସ, ଜଣେ ବିଜେଡି ବିଧାୟିକାଙ୍କ ଝିଅଙ୍କ ସହ ଏଭଳି ଦୁର୍ବ୍ୟବହାର କରି ବିରୋଧୀଙ୍କୁ ଦବାଇ ପାରିବନାହିଁ ଶାସକ ବିଜେପି । ଇପ୍ସିତା ସାହୁ କହିଥିଲେ, ରାଜନୈତିକ ଉଦେ୍ଦଶ୍ୟ ରଖି ବିଜେଡି ବିଧାୟକମାନଙ୍କୁ ଯେତେ ହଇରାଣ, ନିର୍ଯାତନା ଓ ଧମକ ଦେଲେ ମଧ୍ୟ ଅବିଚଳିତ ଭାବେ ଛାତ୍ର ଓ ଯୁବ ବିଜେଡିର ଏହାର ସମ୍ମୁଖୀନ ହେବ । ସ୍ଥାନୀୟ ପୋଲିସକୁ ନଜଣାଇ ତିନି ଦିନ କେସିଙ୍ଗା ପୋଲିସ ଭୁବନେଶ୍ୱରରେ ଅଛନ୍ତି ବୋଲି କଳାହାଣ୍ଡି ଏସ୍ପି ଦେଇଥିବା ବିବୃତ୍ତି ହାସ୍ୟାସ୍ପଦ । ବିଧାୟିକାଙ୍କ ସ୍ୱାମୀ ବ୍ଲକ ଅଧ୍ୟକ୍ଷ ଭାବେ ଏକ ରାଜସ୍ୱ ମାମଲାରେ ତହସିଲଦାରଙ୍କୁ ଫୋନ କରିବାର ଦୁଇ ମାସ ପରେ ମାମଲା ରୁଜୁ କରି ବିଧାୟିକାଙ୍କୁ ଏଭଳି ହଇରାଣ କରିବାର ଜବାବ ଦେବ ବିଜେଡି । ଏଭଳି ହୀନ ରାଜନୀତିରୁ ବିଜେପି କ୍ଷାନ୍ତ ରହୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking