ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମାସ ମଙ୍ଗଳବାର ତୃତୀୟ ପାଳି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହୋଇ ଉଠୁଛି । ମା ତାରାତାରିଣୀ ଦୁଇ ଭଉଣୀ ମହା ସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାରେ ଲାଗିଛନ୍ତି ।ରାତ୍ର ୧.୩୦ ରେ ମନ୍ଦିର ଦ୍ଵାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ସହ ପଞ୍ଚଶୁତ୍ର ଅଭିଷେକ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି ପୂଜାର୍ଚ୍ଚନା କରାଯାଇ ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତ ମାନେ ମହାସରସ୍ବତୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୪.୩୦ରେ ସାହାଣମେଲା ହୋଇଥିଲା । ଏହାପରେ ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ଦୁଇ ଭଉଣୀ । ରାତ୍ର ୩ଟାରୁ ମୁଣ୍ଡନ କାର୍ଯ୍ଯ ଜାରି ରହିଛି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଛୁଟିଆସିଥିବା ବେଳେ ମାନସିକଧାରୀମାନେ ନିଜ ନିଜ ଶିଶୁଙ୍କର ମୁଣ୍ଡନ କରାଇ ମା’ଙ୍କ ଆଶିର୍ବାଦ ନେଉଛନ୍ତି ।ସ୍ବତନ୍ତ୍ର ବସ, ରୋପୱେ ଓ ୯୯୯ ପାହାଛ ଚଢି ଭକ୍ତମାନେ ପାହାଡ ଉପରକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି ।










