ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି । ଗତ କିଛି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି । ଆଫଗାନିସ୍ତାନ ଅଭିଯୋଗ କରିଛି । ସୋମବାର- ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ କାବୁଲର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି । ତାଲିବାନ ଦାବି କରିଛନ୍ତି ଯେ, ଏହି ଆକ୍ରମଣରେ ୪୦୦ ଲୋକଙ୍କ ଜୀବନ ଯାଇଛି । କାବୁଲରେ ଏକ ନିଶା ପୁନର୍ବାସ କେନ୍ଦ୍ର ଉପରେ ପାକିସ୍ତାନୀ ସେନାର ବୋମାମାଡ ପରେ ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନର ଉପ ମୁଖପାତ୍ର ହମଦୁଲ୍ଲା ଫିତରତ କହିଛନ୍ତି ମୃତ୍ୟୁ ସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି । ଆହତଙ୍କ ସଂଖ୍ୟା ୨୫୦ରେ ପହଞ୍ଚିଛି । ଏହି ଆକ୍ରମଣରେ ହସ୍ପିଟାଲର ଏକ ବଡ ଅଂଶ ନଷ୍ଟ ହୋଇଯାଇଛି । ଉଦ୍ଧାରକାରୀଦଳ କୋଠାରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ଏବଂ ପୀଡିତଙ୍କ ମୃତଦେହ ଉଦ୍ଧାର କରିବା ଜାରି ରଖିଛନ୍ତି । ପାକିସ୍ତାନ କହିଛି ଯେ, ସୋମବାର କାବୁଲ ଏବଂ ପୂର୍ବ ଆଫଗାନିସ୍ତାନର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକ ସ୍ଥାନଗୁଡିକରେ କୌଣସି କ୍ଷତି ହୋଇନାହିଁ । କ୍ରିକେଟର ରସିଦ ଖାନ ମଧ୍ୟ ଆଫଗାନିସ୍ତାନ ଉପରେ ହୋଇଥିବା ଆକ୍ରମଣ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆକ୍ରମଣ ଭିଡିଓ ସେୟାର କରିଛନ୍ତି ଏବଂ ଏହି ମାମଲାରେ ଜାତିସଂଘର ହସ୍ତକ୍ଷେପ ପାଇଁ ଆହ୍ୱାନ କରିଛନ୍ତି ।










