ବ୍ରହ୍ମପୁର: ଦାଦାବଟି ନ ଦେବାରୁ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ଅଞ୍ଚଳର ଶୁଭେନ୍ଦୁ ଶେଖର ସାହୁ ଓରଫ ସିଲୁ ନାମକ ଜଣେ ଠିକାଦାରଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୈକୁଣ୍ଠନଗର ୪ର୍ଥ ଲାଇନ୍ର ଜଗଦାନନ୍ଦ ଦାସ। ସୂଚନା ପ୍ରକାରେ, ଶୁକ୍ରବାର ବୈକୁଣ୍ଠନଗର ୫ମ ଲାଇନ୍ଠାରେ ଠିକାଦାର ଶୁଭେନ୍ଦୁ ଶେଖର ସାହୁ ଏକ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅଭିଯୁକ୍ତ ଜଗଦାନନ୍ଦ ମଦ୍ୟପାନ କରି ସେଠାକୁ ଆସି ଗାଳିଗୁଳଜ କରିଥିଲେ। ୫୦ ହଜାର ଟଙ୍କା ଦାଦାବଟି ଦେଇନଥିବାରୁ ବିଭିନ୍ନ ପ୍ରକାର ଧମକ ଦେବା ସହ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ôଚ ଶୁଭେନ୍ଦୁଙ୍କୁ ଉଦ୍ଧାର କରିଥିଲେ। ଏହାର କିଛି ସମୟ ପରେ ଅଭିଯୁକ୍ତ ଜଣଙ୍କ ନିଜ ସହ ଅନ୍ୟ କିଛି ଯୁବକଙ୍କୁ ଧରି ରାସ୍ତାରେ ଶୁଭେନ୍ଦୁଙ୍କୁ ଅଟକାଇବା ସହ ତାଙ୍କୁ ପୁଣି ଆକ୍ରମଣ କରିଥିଲେ। ଆକ୍ରମଣରେ ଶୁଭେନ୍ଦୁ ଆହତ ହେବା ସହ ଥାନାକୁ ଯାଇ ଅଭିଯୋଗ କରିବା ପରେ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ସେପଟେ ଶୁଭେନ୍ଦୁଙ୍କ ସହ ଅନ୍ୟ ଠିକାଦାରମାନେ ଥାନାରେ ପହଞ୍ôଚ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଜଗଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ ସହ ଘଟଣା ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।










