ନୂଆଦିଲ୍ଲୀ: ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଦେଶର ଝିଅମାନଙ୍କ ଭବିଷ୍ୟତ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଦିଗରେ ଆସନ୍ତାକାଲି ଏକ ଐତିହାସିକ ପଦକ୍ଷେପର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ସାଢ଼େ ୧୧ଟା ସମୟରେ ରାଜସ୍ଥାନର ଅଜମେରରୁ ୧୪ ବର୍ଷ ବୟସର ଝିଅମାନଙ୍କ ପାଇଁ ଦେଶବ୍ୟାପୀ ହ୍ୟୁମ୍ୟାନ୍ ପାପିଲୋମାଭାଇରସ୍ (ଏଚପିଭି) ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ଭାରତର ଜନସ୍ୱାସ୍ଥ୍ୟ ଯାତ୍ରାରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଏହା ନିରାକରଣ, ସୁରକ୍ଷା ଏବଂ ସମାନତାକୁ ଆଧାର କରି ମହିଳା ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ସହିତ ‘ସ୍ୱସ୍ଥ ନାରୀ’ର ଲକ୍ଷ୍ୟକୁ ଆଗକୁ ବଢାଇବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବ। ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ୧୪ ବର୍ଷ ବୟସର ପ୍ରାୟ ୧.୧୫ କୋଟି ଝିଅଙ୍କୁ ସାମିଲ କରାଯିବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ ମାଗଣାରେ ଯୋଗାଇ ଦିଆଯିବ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ-ଜିଲ୍ଲା ଏବଂ ଜିଲ୍ଲା ହସ୍ପିଟାଲ ଏବଂ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟିକାକରଣ କରାଯିବ। ପ୍ରତ୍ୟେକ ଟିକାକରଣ ପର୍ଯ୍ୟାୟକୁ ତାଲିମପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯିବ ଏବଂ ଦକ୍ଷ ସ୍ୱାସ୍ଥ୍ୟସେବା ଦଳ ଏଥିରେ ସହଯୋଗ ଯୋଗାଇ ଦେବେ। ସବୁ ସ୍ଥାନରେ କାର୍ଯ୍ୟକ୍ଷମ କୋଲ୍ଡ ଚେନ୍ ପଏଣ୍ଟ (ସିସିପି) ରହିବ ଏବଂ ୨୪ ଘଣ୍ଟିଆ ସରକାରୀ ସ୍ୱାସ୍ଥ୍ୟ ସୁବିଧା ସହିତ ଏହାକୁ ଯୋଡ଼ଯିବ। ଏହା ଫଳରେ ଟିକାକରଣ ପରେ ଯେକୌଣସି ବିରଳ ପାର୍ଶ୍ୱପ୍ରତିକ୍ରିୟା ମାମଲାର ତୁରନ୍ତ ଚିକିତ୍ସା ସହାୟତା ଏବଂ ପରିଚାଳନା ସୁନିଶ୍ଚିତ ହୋଇପାରିବ। ଟିକାକରଣ ସ୍ୱେଚ୍ଛାକୃତ ହେବ ଏବଂ ପ୍ରଶାସନ ପୂର୍ବରୁ ପିତାମାତା/ଅଭିଭାବକଙ୍କଠାରୁ ସୂଚିତ ସମ୍ମତି ଆଣିବ। ଏହି ସ୍ୱତନ୍ତ୍ର ଅଭିଯାନ ତିନି ମାସ ପର୍ଯ୍ୟନ୍ତ ମିଶନ ମୋଡ୍ରେ ଚାଲିବ, ଯେଉଁ ସମୟରେ ଯୋଗ୍ୟ ଝିଅମାନେ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ପ୍ରତିଦିନ ଟିକା ଗ୍ରହଣ କରିପାରିବେ। ଏହା ପରେ, ନିୟମିତ ଟିକାକରଣ ଦିନଗୁଡ଼ିକରେ ଟିକାକରଣ କରାଯିବ।
ଭାରତରେ ମହିଳାମାନଙ୍କ ମଧ୍ୟରେ ପ୍ରାୟତଃ ଦେଖା ଦେଉଥିବା କର୍କଟ ମଧ୍ୟରେ ଜରାୟୁ ଗ୍ରୀବା କର୍କଟର ସ୍ଥାନ ଦ୍ୱିତୀୟ। ଗ୍ଲୋବୋକ୍ୟାନ ୨୦୨୨ର ତଥ୍ୟ ଅନୁଯାୟୀ ବାର୍ଷିକ ୧ ଲକ୍ଷ ୨୦ ହଜାରରୁ ଅଧିକ ନୂତନ କର୍କଟ ମାମଲା ଏବଂ ପ୍ରାୟ ୮୦ ହଜାର ମୃତ୍ୟୁ ଘଟୁଛି। ବୈଜ୍ଞାନିକ ପ୍ରମାଣ ପ୍ରତିପାଦିତ କରୁଛି ଯେ ପ୍ରାୟ ସମସ୍ତ ମାମଲା ଉଚ୍ଚ-ବିପଦପୂର୍ଣ୍ଣ ପ୍ରକାରର ହ୍ୟୁମାନ ପାପିଲୋମାଭାଇରସ୍ (ଏଚପିଭି)ରେ ଦୀର୍ଘସ୍ଥାୟୀ ସଂକ୍ରମଣ ଯୋଗୁଁ ହୋଇଥାଏ। ବିଶେଷକରି ଟାଇପ୍ ୧୬ ଏବଂ ୧୮ ଭାରତରେ ଜରାୟୁ ଗ୍ରୀବା କର୍କଟର 80% ରୁ ଅଧିକ ମାମଲା ପାଇଁ ଦାୟୀ। ଟିକାକରଣ ଏବଂ ପ୍ରାରମ୍ଭିକ ଯାଞ୍ଚ ମାଧ୍ୟମରେ ବହୁଳ ଭାବରେ ପ୍ରତିରୋଧ କରାଯାଇପାରୁଥିବା ସତ୍ତ୍ୱେ, ଜରାୟୁ ଗ୍ରୀବା କର୍କଟ ପରିବାର ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଭାରୀ ବୋଝ ଲଦି ଚାଲିଛି। ଦେଶବ୍ୟାପୀ ଏଚପିଭି ଟିକାକରଣ କାର୍ଯ୍ୟକ୍ରମ କର୍କଟ ହେବା ପୂର୍ବରୁ ଏଚପିଭି ସଂକ୍ରମଣକୁ ପ୍ରତିରୋଧ କରି ଏହି ସମସ୍ୟାର ସିଧାସଳଖ ସମାଧାନ କରେ। ଭାରତର ଜାତୀୟ କାର୍ଯ୍ୟକ୍ରମରେ ଏକ କ୍ୱାଡ୍ରିଭାଲାଣ୍ଟ ଏଚପିଭି ଟିକା ଗାର୍ଡାସିଲ ବ୍ୟବହାର କରାଯିବ। ଏହା ଏଚପିଭି ଟାଇପ୍ ୧୬ ଏବଂ ୧୮ (ଯାହା ଜରାୟୁ ଗ୍ରୀବା କର୍କଟ ସୃଷ୍ଟି କରେ), ଏବଂ ଟାଇପ୍ ୬ ଏବଂ ୧୧ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ। ଏଚପିଭି ଟିକା ବିଶ୍ୱ ସ୍ତରରେ ସବୁଠାରୁ ବ୍ୟାପକ ଭାବରେ ଅଧ୍ୟୟନ କରାଯାଇଥିବା ଟିକା ମଧ୍ୟରୁ ଅନ୍ୟତମ। ୨୦୦୬ ପରଠାରୁ ସାରା ବିଶ୍ୱରେ ୫୦ କୋଟିରୁ ଅଧିକ ଡୋଜ୍ ଏହି ଦିଆଯାଇଛି। ଯେଉଁ ପ୍ରକାରର ଏଚପିଭି ଦ୍ୱାରା ଜରାୟୁ ଗ୍ରୀବା କର୍କଟ ହୋଇଥାଏ ତାହାକୁ ଟିକା ଦ୍ୱାରା ପ୍ରତିରୋଧ ରଖାଯାଇପାରିବ ବୋଲି ବୈଜ୍ଞାନିକ ପ୍ରମାଣ ମିଳିଛି । ଏହି ଟିକା କର୍କଟ ରୋକିବାରେ ୯୩ରୁ ୧୦୦% ପ୍ରଭାବ ପ୍ରଦର୍ଶନ କରିଛି।
ଜୁନ୍ ୨୦୨୨ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିକାକରଣ ଉପରେ ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟସ୍ (ସେଜ୍) ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଏକକ-ଡୋଜ୍ ସୂଚୀ ଦୁଇ-ଡୋଜ୍ ସୂଚୀ ସହିତ ତୁଳନୀୟ ସୁରକ୍ଷା ପ୍ରଦାନ କରେ। ଡିସେମ୍ବର ୨୦୨୨ରେ ଡବ୍ଲୁଏଚଓ ପୋଜିସନ୍ ପେପର୍ ୯-୨୦ ବର୍ଷ ବୟସର ଝିଅମାନଙ୍କ ପାଇଁ ସିଙ୍ଗଲ-ଡୋଜ୍ ସୂଚୀକୁ ଏକ ପ୍ରଭାବଶାଳୀ ଏବଂ କାର୍ଯ୍ୟକ୍ରମ ଦୃଷ୍ଟିରୁ ଲାଭଦାୟକ ବିକଳ୍ପ ଭାବରେ ସମର୍ଥନ କରିଥିଲା।
ଭାରତର ଆଭିମୁଖ୍ୟ ଏହି ବିଶ୍ୱସ୍ତରୀୟ ସୁପାରିସ ଏବଂ ଟିକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ର ବିଶେଷଜ୍ଞ ମାର୍ଗଦର୍ଶନ ସହିତ ସମାନ। ଏହି ଶୁଭାରମ୍ଭ ସହିତ, ଭାରତ ୧୬୦ରୁ ଅଧିକ ଦେଶ ସହିତ ସାମିଲ ହେବ ଯେଉଁମାନେ ସେମାନଙ୍କର ଟିକାକରଣ କାର୍ଯ୍ୟସୂଚୀରେ ଏଚପିଭି ଟିକାକରଣ ପ୍ରଚଳନ କରିଛନ୍ତି। ୯୦ରୁ ଅଧିକ ଦେଶ ସିଙ୍ଗଲ-ଡୋଜ୍ ଏଚପିଭି ଟିକାକରଣ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରୁଛନ୍ତି। ସେମାନେ ପ୍ରସାର, ସୁଲଭତା ଏବଂ କାର୍ଯ୍ୟକ୍ରମ ଦକ୍ଷତାକୁ ଉନ୍ନତ କରୁଛନ୍ତି। ବ୍ୟାପକ ଟିକାକରଣ ପରେ ଏଚପିଭି ସଂକ୍ରମଣ ହାର, ପୂର୍ବରୁ କର୍କଟ ଆଶଙ୍କା ଥିବା ଘା’ ଏବଂ ଜରାୟୁ ଗ୍ରୀବା କର୍କଟ ଘଟଣାରେ ଯଥେଷ୍ଟ ହ୍ରାସ ଘଟିଥିବା ଅନେକ ଦେଶ ପୂର୍ବରୁ ରିପୋର୍ଟ କରିଛନ୍ତି।
ନିରବଚ୍ଛିନ୍ନ ଯୋଗାଣ ଏବଂ ବିନା ସାଲିସରେ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଟିକାକରଣ ମେଣ୍ଟ ‘ଗାଭୀ’ ସହ ଭାଗିଦାରୀ କରି ଏକ ସ୍ୱଚ୍ଛ ଏବଂ ବିଶ୍ୱବ୍ୟାପୀ ସମର୍ଥିତ କ୍ରୟ ବ୍ୟବସ୍ଥା ମାଧ୍ୟମରେ ଏଚପିଭି ଟିକା ଯୋଗାଣ ସୁରକ୍ଷିତ କରିଛନ୍ତି। ଜାତୀୟ କାର୍ଯ୍ୟକ୍ରମରେ ବ୍ୟବହାର ହେବାକୁ ଥିବା ଟିକା ଭାରତର ଔଷଧ ନିୟାମକ ଦ୍ୱାରା ଅନୁମୋଦିତ ଏବଂ କଠୋର ଗୁଣବତ୍ତା ଏବଂ କୋଲ୍ଡ ଚେନ୍ ମାନଦଣ୍ଡ ପୂରଣ କରେ। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ଧାର୍ଯ୍ୟ ଟିକା ଗ୍ରହଣକାରୀଙ୍କ ସଂଖ୍ୟା ସହିତ ସମାନ ପର୍ଯ୍ୟାପ୍ତ ଟିକା ଡୋଜ୍ ପୂର୍ବରୁ ଯୋଗାଣ କରାଯାଇଛି ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସୁଗମ କାର୍ଯ୍ୟକାରିତା ଏବଂ ଶେଷ ମାଇଲ୍ ବଣ୍ଟନ ପାଇଁ ତାଲିମ ଦିଆଯାଇଛି। ଅଜମେରରେ ଶୁଭାରମ୍ଭ କାର୍ଯ୍ୟକ୍ରମ ସମୟରେ, ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ନିଜ ନିଜ ଏନଆଇସି ୟୁନିଟ୍ ସହିତ ସମନ୍ୱୟରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ, ପ୍ରଶାସକ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶ ମୁଖ୍ୟାଳୟରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଜାତୀୟସ୍ତରରେ ଶୁଭାରମ୍ଭ ପରେ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶ ସେହି ଦିନ ସେମାନଙ୍କର ନିଜସ୍ୱ ଏଚପିଭି ଟିକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମ ସହିତ ଆଗକୁ ବଢ଼ିବେ।










