କନ୍ଧମାଳ: ନକ୍ସଲକୁ ହତ୍ୟା କଲା ନକ୍ସଲ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାରେ। ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ଜଣେ ସାଥୀ ନକ୍ସଲକୁ ହତ୍ୟା କରି ମାଟିରେ ପୋତି ଦେଲା ନକ୍ସଲ ନେତା ଶୁକ୍ରୁ। ମୃତ ନକ୍ସଲ ନାଁ ଅନ୍ୱେଷ ଓରଫ ରେଣୁ(୩୧)। ତା’ ଘର ଛତିଶଗଡ଼ର ସୁକୁମାରେ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ସ୍ପଷ୍ଟ କରିଛନ୍ତି କନ୍ଧମାଳ ଏସ୍ପି ହରିଶ ବି. ସି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ତରାବାଡ଼ି ଜଙ୍ଗଲରୁ ଏକ ଗଳିତ ଶବ ଠାବ କରାଯାଇଥିଲା। ଶବଟିକୁ ମାଟି ତଳୁ ବାହାର କରି ବ୍ୟବଚ୍ଛେଦ କରାଯାଇଥିଲା। ତାହା ନକ୍ସଲ ଅନ୍ୱେଷର ମୃତଦେହ ଥିଲା ବୋଲି କନ୍ଧମାଳ ଏସ୍ପି କହିଛନ୍ତି। ଏସ୍ପି କହିଛନ୍ତି, ମୃତ ଅନ୍ୱେଷ ସିପିଆଇ (ମାଓବାଦୀ) ଅଷ୍ଟମ କମ୍ପାନୀର ଡିଭିସିଏମ ସଦସ୍ୟ ଥିଲା। ତାକୁ ଗତ ମାସ ୨୯ ତାରିଖରେ ସିପିଆଇ (ମାଓବାଦୀ)ର ଏସସିଏମ ଶୁକ୍ରୁ ଏବଂ ତାର ସାଥୀମାନେ ମିଶି ହତ୍ୟା କରି ପୋତି ଦେଇଥିଲେ। ଅନ୍ୱେଷ ପୁଲିସ ପାଖରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବାରୁ ଶୁକ୍ରୁ ତାକୁ ହତ୍ୟା କରିଥିଲା। ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ନକ୍ସଲଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅନ୍ୱେଷକୁ ଶୁକ୍ରୁ ହତ୍ୟା କରିଥିଲା। ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ହତ୍ୟାକାରୀମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣାରେ ଭୟଭୀତ ନହୋଇ ନିର୍ଭୟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ନକ୍ସଲମାନେ ପୁଲିସକୁ ଯୋଗାଯୋଗ କରିପାରିବେ ବୋଲି ଏସ୍ପି କହିଛନ୍ତି।
ପ୍ରକାଶ ଯେ ପୁଲିସର ଲଗାତାର ମାଓବିରୋଧୀ ଅଭିଯାନ ସାଙ୍ଗକୁ ସଙ୍ଗଠନର ଟପ୍ କ୍ୟାଡର ଓ ସହଯୋଗୀ ମାନେ ମୃତ୍ୟୁମୁଖରେ ପଡ଼ିବା ଏବଂ ଆତ୍ମସମର୍ପଣ କରିବା ପରେ ଅନ୍ୱେଷ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ୧୪ ଜଣ ସହଯୋଗୀଙ୍କ ସମେତ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଯୋଜନା ରହିଥିଲା। କିନ୍ତୁ ତାଙ୍କର ଏହି ପଦକ୍ଷେପକୁ ବିରୋଧ କରିଥିଲେ ସଙ୍ଗଠନର ଅନ୍ୟତମ ଟପ କ୍ୟାଡର ସୁକ୍ରୁ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ଏତେ ସଂଖ୍ୟାରେ ସାଥୀ ସଙ୍ଗଠନ ଛାଡ଼ିଲେ କନ୍ଧମାଳ ଜିଲ୍ଲାରେ ଲାଲବାହିନୀର ମେରୁଦଣ୍ଡ ଭାଙ୍ଗିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଗତ ଜାନୁଆରୀ ୨୯ ତାରିଖରେ ସୁକ୍ରୁ ଓ ତାଙ୍କ ସହଯୋଗୀମାନେ ଅନ୍ୱେଷଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ପକାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗାତ ଖୋଳି ପୋତି ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପୁଲିସ ଶବ ଜବତ କରି ଦାରିଙ୍ଗବାଡି ମେଡିକାଲ ଆଣିଥିଲା। ଶବଟି ପଚି ଯାଇଥିବା ଯୋଗୁଁ ଏଠାରେ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ବ୍ରହ୍ମପୁର ପଠା ଯାଇଛି। ଘଟଣାକୁ ନେଇ ଦାରିଙ୍ଗବାଡି ଥାନାରେ ୫୮/୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସପି ପ୍ରକାଶ କରିଛନ୍ତି।










