ଝାରସୁଗୁଡ଼ା : ଏକ ବାହାଘର ଭୋଜି ଖାଇ ଭୋରରୁ ଫେରୁଥିବା ବେଳେ ଟ୍ରେଲର ଏବଂ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାରେ। ଆଉ ଜଣେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ବୋଲି ସିଡିଏମଓ କହିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରେଙ୍ଗାଲି କୁ ଏକ କନଷ୍ଟେବଳଙ୍କ ବାହାଘରର ଭୋଜିକୁ ରିଜଭ ପୁଲିସର ୮ ଜଣ ପୁଲିସ ଅଧିକାରୀ ଯାଇଥିଲେ। ଭୋରରୁ ଭୋଜି ଖାଇ ଫେରୁଥିବା ସମୟରେ ଏଚ କଟାପାଲି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ସାମ୍ନା ପଟରୁ ପୁଲିସ ବୋଲେରୋ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଲିଙ୍ଗରାଜ ଧୁନୁଆ, ଭକ୍ତ ମିର୍ଦ୍ଧା, ନିରଞ୍ଜନ କୁଜୁନ, କାସିରାମ ଭୋଇ ଏବଂ ଦେବଦତ୍ତ ଶା ଙ୍କର ମୃତ୍ୟୁ ଘଟିଛି। ଦୁବନାଇ ମିରୋଙ୍ଗ ଏବଂ ଡ଼୍ରାଇଭର ଗୋବିନ୍ଦ ଚକ୍ରବର୍ତ୍ତୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଜଣେ ପୁଲିସ ଅଧିକାରୀ ଆକାଶ କୁମାର ନାୟକ(୨୮) ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି। ଘଟଣା ସ୍ଥଳରେ ଜିଲ୍ଲାପାଳ କୁନାଲ ମୋତି ରାମ ଚୱାନ, ଜିଲା ଆରକ୍ଷୀ ଅଧିକ୍ଷକ ଜି.ଆର୍. ରଘାବେନ୍ଦ୍ର ଏବଂ ଜିଲ୍ଲାର ସମସ୍ତ ବରିଷ୍ଟ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।










