23.1 C
Bhubaneswar
Friday, February 20, 2026
Homeଓଡିଶାଚାଷୀ ପ୍ରସଙ୍ଗରେ ଜିଦ୍‌ରେ ଅଟଳ ବିରୋଧୀ; ସମାନ ସ୍ଥିତି, ଚାଲୁନି ଗୃହ

ଚାଷୀ ପ୍ରସଙ୍ଗରେ ଜିଦ୍‌ରେ ଅଟଳ ବିରୋଧୀ; ସମାନ ସ୍ଥିତି, ଚାଲୁନି ଗୃହ

ଭୁବନେଶ୍ୱର: ସ୍ଥିତିର କିଛି ସୁଧାର ନାହିଁ। ବିରୋଧୀ ଚାଷୀ ପ୍ରସଙ୍ଗ ନେଇ ନିଜ ଜିଦ୍‌ରେ ଅଟଳ। ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖରେ ବିରୋଧୀ ସଭ୍ୟମାନେ ହଟ୍ଟଗୋଳ ଓ ନାରାବାଜି କରିବା ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନର ଥିଲା ତୃତୀୟ ଦିନ। ଧାର୍ଯ୍ୟ ସାଢ଼େ ଦଶରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ତେବେ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଗୃହ ମଝିରେ ପୂର୍ବଦିନ ଭଳି ରାଜ୍ୟବ୍ୟାପୀ ଧାନ ମଣ୍ଡିଗୁଡ଼ିକର କ୍ରୟ ପରିଚାଳନା କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସ୍ଲୋଗାନ ଦେଇ, ହାତରେ ପ୍ଲାକାର୍ଡ ଧରି ଏବଂ ବ୍ୟାନର ଦେଖାଇ ହଟ୍ଟଗୋଳ କରିଥିଲେ। ଗୃହର ସ୍ଥିତି ସର୍‌ଗର୍‌ମ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ଆସନକୁ ଯିବାକୁ ଯେତେ ଅନୁରୋଧ କରିଥିଲେ ହେଁ ବିରୋଧୀ ସଭ୍ୟମାନେ ଶୁଣିନଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ।

ଅପରାହ୍ଣ ଅଧିବେଶନ ଆରମ୍ଭ ହେବା ପରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ ସହ ନାରାବାଜି କରିଥିଲେ। ଏହାରି ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ,ବିରୋଧୀ ଦଳଙ୍କ ମତାମତ ଉପସ୍ଥାପନ କରିବାର ବହୁ ଯଥାର୍ଥତା ଅଛି। କିନ୍ତୁ, ସେମାନେ ପାଟି ତୁଣ୍ଡ କରି ଚାଲିଗଲେ। ସେମାନଙ୍କର କେବଳ ଗୋଟିଏ ମିଶନ – ଭୋଟ ବ୍ୟାଙ୍କ୍ ତିଆରି କରିବା। ଯେଉଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟରମାନେ ତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କଲେ, ସେଥିରୁ ସେମାନେ ଦୂରେଇ ଯାଉଛନ୍ତି। ବିକାଶ ନ କରି, ୨୪ ବର୍ଷ ଧରି ସେମାନେ ଏକଛତ୍ରବାଦି ଶାସନ ଚଳାଇ ଥିଲେ। ଜନ ସାଧାରଣ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଏହା ପରେ ବିରୋଧୀ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, କଂଗ୍ରେସ ଯେତେବେଳେ କକ୍ଷତ୍ୟାଗ କରୁଛି, ବିରୋଧୀ ବିଜୁ ଜନତା ଦଳ ସେତେବେଳେ କକ୍ଷତ୍ୟାଗ କରୁଛି। ଏହା ବଡ଼ ଆଶ୍ଚର୍ଯ୍ୟ କଥା। ମୀନ ଯେପରି ଜଳରୁ ବାହାରି ଛଟପଟ ହୁଏ, ଏମାନେ ସେପରି ହେଉଛନ୍ତି। ଧୈର୍ଯ୍ୟ ନାହିଁ। ବିରୋଧୀ ଦଳକୁ ମୋର ଅନୁରୋଧ, ଆପଣମାନେ ସମାଲୋଚନା କରନ୍ତୁ, ପ୍ରସ୍ତାବ ଦିଅନ୍ତୁ। ସରକାର ଆପଣଙ୍କ କଥା ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking