ବୌଦ୍ଧ: ସମ୍ପ୍ରତି ରାଜ୍ୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରରେ ହରଭଙ୍ଗା ବ୍ଲକ୍ରେ ଓଡ଼ିଆ ଭାଷା ସବୁଠୁ ଅଧିକ ଦୟନୀୟ ଅପଭ୍ରଂସର ଶିକାର ହୋଇଛି। ଗତ ଜାନୁଆରୀ ୭ ତାରିଖ ଭେଜିଗୋରାରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବାବେଳେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନାମଫଳକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ଆଗରେ ଶ୍ରା ଲେଖାଯାଇଥିବାବେଳେ ଭିବି-ଜି ରାମ ଜିର ପ୍ରତ୍ୟେକ ପଞ୍ଚାୟତ ଏପରିକି ବ୍ଲକ୍ ମୁଖ୍ୟାଳୟରେ ଝୁଲାଯାଇଥିବା ବ୍ୟାନର୍ରେ ପଞ୍ଚାୟତ ସମିତିର ଭୁଲ୍ ବନାନ୍ ଲେଖା ଯାଇଥିଲା। ଏହା ପ୍ରତିବାଦରେ ଓଡ଼ିଆ ଭାଷାର ବାରମ୍ବାର ବିକୃତକରଣ ବନ୍ଦ ଦାବିରେ ବିଜେଡି ହରଭଙ୍ଗା ବ୍ଲକ୍ କମିଟି ପକ୍ଷରୁ ସଭାପତି ପଙ୍କଜ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ହରି ମିଶ୍ର, ରବିଚନ୍ଦ୍ର ପ୍ରଧାନ, ବାସୁଦେବ ଦେହୁରୀ, ଗରୁଡ଼ ପ୍ରଧାନ, କମଲ କୁମାର ଜଗଦଳା, କାର୍ତ୍ତିକ ବେହେରା, ମକରଧ୍ୱଜ ମେହେର ଓ ସୁଶାନ୍ତ ଭୋକ୍ତା ପ୍ରମୁଖ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବାବେଳେ ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ କିମ୍ବା ଏବିଡିଓ ଉପସ୍ଥିତ ଥିଲେ। ତାଙ୍କ ଗସ୍ତ ସମ୍ପର୍କରେ କୌଣସି ଅଧିକାରୀ ଅଥବା ନୋଟିସ୍ ବୋର୍ଡରେ ସୂଚନା ନଥିଲା। ଫଳରେ ସମଗ୍ର ବ୍ଲକ୍ର ଜନସାଧାରଣ ବିଭିନ୍ନ ଅଭିଯୋଗ ନେଇ ଆସି ନିରାଶ୍ ହୋଇ ଫେରୁଥିବା ଲକ୍ଷ୍ୟ କରି ଏହା ପ୍ରତିବାଦରେ ଦିନ ୧୧ଟା ୩୦ରୁ ଅପରାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ଏପରିକି ମଧ୍ୟାହ୍ନଭୋଜନ ମଧ୍ୟ ବ୍ଲକ୍ ପରିସରରେ କରିଥିବା ଦେଖିବାକୁ ମିଳିଥିଲା। ପରେ ପୁରୁଣାକଟକ ଆଇଆଇସିଙ୍କ ହସ୍ତକ୍ଷେପ ଫଳରେ ବ୍ଲକ୍ ଆକାଉଣ୍ଟସ୍ ଅଫିସର୍ ଏବଂ ଜିପିଓଙ୍କ ପ୍ରତିଶ୍ରୁତିକ୍ରମେ ବୁଧବାର ପୂର୍ବାହ୍ନରେ ବିଡିଓ ଦେଖା କରିବାର ସମ୍ମତି ଦେଇଛନ୍ତି। ଏଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ସମ୍ପର୍କରେ ବିଜେଡି ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନିମିତ୍ତ ବିଜେଡି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।










