23.1 C
Bhubaneswar
Tuesday, February 17, 2026
Homeଓଡିଶାଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ

-ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ
-ମାଳ ମାଳ ପ୍ରସଙ୍ଗ ଧରି ସରକାରଙ୍କୁ ଘେରିବେ ବିରୋଧୀ
-କାଉଣ୍ଟର ପାଇଁ ଶାସକ ଦଳ ବି ପ୍ରସ୍ତୁତ କରିଛି ରଣନୀତି
-ସୁରୁଖୁରୁରେ ଗୃହ ଚାଲିବା ପାଇଁ ସବୁ ଦଳଙ୍କୁ ବାଚସ୍ପତିଙ୍କ ଅପିଲ୍‌
-ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି, ୨୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଫେବୃଆରୀ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଦୁଇ ପର୍ଯ୍ୟାୟ ବିଶିଷ୍ଟ ହେବ ଏହି ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ଫେବୃଆରୀ ୨୦ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ। ହେଲେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ-ଶାସକ ମୁହାଁମୁହିଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଗୃହ ସରଗରମ ହେବା ନିଶ୍ଚିତ। ଧାନମଣ୍ଡିଠୁ ଆରମ୍ଭ କରି ନିୟୁସିସି, ନାରୀ ନିର୍ଯାତନା ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା। ବିଜେଡି ଓ କଂଗ୍ରେସ ଏହାକୁ ମୁଖ୍ୟ ମୁଦ୍ଦା କରିବେ। ଏହାସହ କେନ୍ଦ୍ର ବଜେଟ ଓ ରାଜ୍ୟ ବଜେଟରୁ ଦୋଷ ଦୁର୍ବଳତା କାଢ଼ି ସରକାରଙ୍କୁ ଘେରିବେ। ବିଜେଡି କହିଛି ଧାନ ମଣ୍ଡିରେ ଚାଷୀ ନିର୍ଯାତିତ ହେଉଛନ୍ତି। କଟନ୍ ଛଟନି ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି। ସେପଟେ ମହାନଦୀ ପ୍ରସଙ୍ଗ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନି। କୋଟିଆ, ପୋଲାଭରମ ଠାରୁ ଆଇନଶୃଙ୍ଖଳା ପର୍ଯ୍ୟନ୍ତ ଅନେକ ସମସ୍ୟା ନେଇ ଏଥର ବିଧାନସଭା ସରଗରମ ହେବ। ସେହିପରି କଂଗ୍ରେସ କହିଛି ଚାଷୀ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ। ସେପଟେ ବିରୋଧୀ ଦଳକୁ ମୁକାବିଲା କରିବାକୁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାକୁ ମିଳୁଥିବା ଫାଇଦା ନେଇ ବିରୋଧୀଙ୍କୁ କାଉଣ୍ଟର କରିବ ଶାସକ ଦଳ। ଏହି କାରଣରୁ ଗୁହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସବୁ ଦଳର ନେତାଙ୍କୁ ନିବେଦନ କରିଛନ୍ତି।

ସୋମବାର ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ। ବୈଠକ ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ, ସପ୍ତଦଶ ବିଧାନସଭାର ଷଷ୍ଠ ତଥା ବଜେଟ୍ ଅଧିବେଶନର ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟକୁ ଆରମ୍ଭ ହେବ। ମହାମହିମ ରାଜ୍ୟପାଳ ଡ. ହରିବାବୁ କୁମ୍ବମ୍‌ପଟି ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ। ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି ବଜେଟ୍ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ବଜେଟ୍ ଉପସ୍ଥାପନ ଯୋଗୁଁ ଏଥର ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ। ଗୃହ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ, ଏହା ଉପରେ ସବୁ ଦଳର ନେତାମାନଙ୍କ ସହ ଆଲୋଚନା କରିଛି ଓ ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକାଶ ଯେ ଫେବୃଆରୀ ୧୮ ଓ ୧୯ରେ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଫେବୃଆରୀ ୨୦ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିବେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍‌। ପୁଣି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବ। ମାର୍ଚ୍ଚ ୩୦ରେ ବଜେଟ୍ ଅନୁମୋଦନ ପାଇଁ ଗୃହର ଅନୁମତି ଲୋଡ଼ିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ। ଏପ୍ରିଲ ୧ରୁ ଗୃହ ଉତ୍କଳ ଦିବସ ପାଇଁ ବନ୍ଦ୍ ରହିବ। ଏପ୍ରିଲ ୨ ଓ ଏପ୍ରିଲ ୮ରେ ପ୍ରାଇଭେଟ୍ ମେମ୍ବରଙ୍କ ବିଲ ଆଗତ ପାଇଁ ଦୁଇଦିନ ଧାର୍ଯ୍ୟ ହୋଇଛି। ଶେଷରେ ଏପିଲ ୮ରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ହେବ। ଅନ୍ୟପକ୍ଷରେ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ଶାସକ ଦଳ ସବୁ ପ୍ରସଙ୍ଗରେ ଉତ୍ତର ଦେବାକୁ ତୟାର ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ଟିକସ ଅର୍ଥରେ ଚାଲୁଥିବା ବିଧାନସଭାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଜୁରୁରୀ। ଅଯଥା ହଟ୍ଟଗୋଳ କରି ଗୃହକୁ ଅଚଳ କରାଯିବା ଉଚିତ ନୁହେଁ। ତେଣୁ ବିରୋଧୀ ଦଳ ସଭ୍ୟମାନେ ଏହାକୁ ଗୁରୁତ୍ୱ ଦେବା ବିଧେୟ ବୋଲି ସେ ଅପିଲ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking