କଟକ: ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶଷକୃତ୍ୟ ସମ୍ପନ୍ନ ହୋଇଛି । କଟକ ସତୀ ଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମୁଖାଗ୍ନି ଦେଇଛନ୍ତି ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର । ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୭୩ ବର୍ଷ ବୟସରେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ ୧୨ ତାରିଖରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିବା ଜଣାପଡିଥିଲା । ତାଙ୍କୁ ବଞ୍ଚାଇବାକୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୯୭୦ରୁ ଓଡିଆ ସଂଗୀତ ଜଗତରେ ଶୁଣିବାକୁ ମିଳିଥିଲା ଗୀତା ପଟ୍ଟନାୟକଙ୍କ ସୁରିଲା ସ୍ୱର । ୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ । ଅକ୍ଷୟ ମହାନ୍ତି ଙ୍କ ଅନେକ ଗୀତରେ କଣ୍ଠଦାନ କରି ଶ୍ରେ।।ତାଙ୍କର ପ୍ରିୟ ଗ୍ରାହକ ପାଲଟିଥିଲେ । ପ୍ରାୟ ୧୫ଟି ଓଡିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ଶ୍ରେଷ୍ଠ ଭଜନ ଜଣାଣ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର , ଓଡଶା ଗୀତି କବି ସମ୍ମାନ ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । କେବଳ ଓଡିଆ ଭାଷା ନୁହେଁ, ହିନ୍ଦୀ, ଗୁଜୁରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି । ଭଜନ, ଜଣାଣ , ଛାନ୍ଦ, ଚମ୍ପୁ ଆଧୁନିକ ଗୀତ ପାଇଁ ସେ ପରିଚିତ ଥିଲେ ଗୀତା ।










