ଭୁବନେଶ୍ୱର: ଆଜି ପବିତ୍ର ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଳନ କରାଯାଇଛି। ତେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟ ଅନୁସାରେ ମହାଦୀପ ରାତି ୧୦ଟାରେ ଉଠିବ। ସେହିପରି ପ୍ରାତଃ ୩ଟାରୁ ୩ଟା୩୦ ପର୍ଯ୍ୟନ୍ତ ମଙ୍ଗଳଆଳତୀ ଓ ଅବକାଶ ନୀତି କରାଯିବ। ସେହିପରି ଭୋର ୩ଟା ୩୦ରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ, ୧୨ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ମହାସ୍ନାନ ବେଶ, ୧୨.୪୫ରୁ ୨ଟା ୩୦ ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀ ଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ନୀତି, ୨ଟା ୪୫ରୁ ୩ଟା ୪୫ ପର୍ଯ୍ୟନ୍ତ ଭୋଗ ମଣ୍ଡପ, ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ, ସେହିପରି ୪ଟା ୪୫ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି ହେବ। ସନ୍ଧ୍ୟା ୭ଟାରୁ ୭ଟଶ ୧୦ ପର୍ଯ୍ୟନ୍ତ ଶ୍ରୀ ଜିଉଙ୍କ ପହୁଡ଼, ସନ୍ଧ୍ୟା ୭ଟା୧୦ରୁ ୭ଟଶ ୩୦ ସନ୍ଧ୍ୟା ଆଳତି ଓ ଟେରାଫିଟା, ୮ଟା ୧୦ରୁ ୮ଟା ୫୫ ଶ୍ରୀଜୀଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮ଟା ୫୫ରୁ ରାତ୍ରୀ ୧୦ଟା ମଧ୍ୟରେ ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ, ରାତ୍ର ୧୦ଟାରେ ମହାଦୀପ ଦର୍ଶନ, ରାତ୍ରୀ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ, ରାତ୍ରି ୧୧ଟା ୩୦ରୁ ସକାଳ ୪ଟା ୧୦ ପର୍ଯ୍ୟନ୍ତ ଚାରିପ୍ରହର ପୂଜା, ସକାଳ ୪ଟା ୧୦ରୁ ୫ଟା ପର୍ଯ୍ୟନ୍ତ ହରିହର ଭେଟ, ସକାଳ ୫ଟାରୁ ୫ଟା ୩୦ ବଡସିଂହାର ଓ ପହୁଡ ନିତି କରାଯିବ। ଅପରପକ୍ଷେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଏହାସହ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ୧୨ଟି ପାର୍କିଂସ୍ଥଳୀ। ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ, ବିଶୁଦ୍ଧ ପିଇବା ପାଣି, ଜରୁରି କାଳୀନ ମେଡିକାଲ୍ ଓ ଅଗ୍ନିଶମ ସେବା, ସ୍ନାନ ଶୌଚ ପାଇଁ ଶୌଚାଳୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଭଜନ ଜଣାଣ, ପ୍ରବଚନ ସାଙ୍ଗକୁ ସମସ୍ତ ଜରୁରି ସୂଚନା ପ୍ରଦାନ, ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୁତୟନ ସହ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି।










