କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ‘ବାଣିଜ୍ୟ ଦୋଛକିରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ଧାରଣୀୟ ବିକାଶର ଅନ୍ତଃବିଭାଗୀୟ ଦୃଷ୍ଟିକୋଣ(କମର୍ସ ଆଟ୍ ଦ କ୍ରସରୋଡସ :ଇଣ୍ଟର ଡିସପ୍ଲିନାରୀ ପ୍ରସପେକ୍ଟିଭ ଅଫ କମର୍ସ, ଟେକନୋଲୋଜି ଆଣ୍ଡ ସଷ୍ଟେନବିଲିଟି)’ ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ପାନ ଶନିବାର ଉଦ୍ଯାପିତ ହୋଇଯାଇଛି। ସମ୍ପାନର ଯୁଗ୍ମ ସାଂଗଠନିକ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ପାନକୁ ମୁଖ୍ୟଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ରେଜିଷ୍ଟ୍ରାର ଏବଂ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ଡ. ମଳୟ କୁମାର ମହାନ୍ତି ଉଦଘାଟନ କରି କହିଲେ ଚାକିରୀ ପାଇଁ ଯୋଗ୍ୟତା ପରିବର୍ତ୍ତେ ଦକ୍ଷତାର ଆବଶ୍ୟକତା ବେଶିି। ବାଣିଜ୍ୟ ସର୍ବାଧାର ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୃଜନର ପୃଷ୍ଟଭୂମି ହେବା ଆବଶ୍ୟକ। ମୁଖ୍ୟବକ୍ତା ଭାବେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ସୁନିଲ କୁମାର ଧଳ ଯୋଗଦେଇ ବାଣିଜ୍ୟ ଓ ପ୍ରଯୁକ୍ତିବିଜ୍ଞାନ କିପରି ପରସ୍ପର ନିର୍ଭରଶୀଳ ତାହା ବର୍ଣ୍ଣନା କରିଥିଲେ। ସମ୍ମାନିତ ବକ୍ତା ଭାବେ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରାକ୍ତନ ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଗିରିଶ ଚନ୍ଦ୍ର ପାତ୍ର ଯୋଗଦେଇ ପରିବର୍ତ୍ତନ ହିଁ ସ୍ଥିର ଏବଂ ନିଯୁକ୍ତି ସୃଜନ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ପ୍ରଦ୍ୱୋତ କେଶରୀ ପ୍ରଧାନ ଆବର୍ଜ୍ଜନା ପରିଚାଳନା ଓ ଧାରଣୀୟ ବିକାଶ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଦାସ ଦୁଇଦିନିଆ ସମ୍ପାନର ସମ୍ୟକ ବିବରଣୀ ପ୍ରଦାନ କରିଥିଲେ।
ଏହି ଦୁଇଦିନିଆ ସମ୍ପାନରେ ୩ଟି ବୈଷୟିକ ଅଧିବେଶନ ସମେତ ବାଣିଜ୍ୟ ବିଭାଗ ବିଶେଷଜ୍ଞମାନଙ୍କ ମଧ୍ୟରେ ସଂପୃକ୍ତ ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅଧ୍ୟାପକ ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାଣିଜ୍ୟ ବିଭାଗ ମୁଖ୍ୟ ତଥା ସମ୍ପାନର ସାଂଗଠନିକ ସମ୍ପାଦକ ପ୍ରାଧ୍ୟାପିକା ୱାଇ. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୬୦ରୁ ଉର୍ଦ୍ଧ୍ୱ ଅଧ୍ୟାପକ, ଅଧ୍ୟାପିକା ଓ ରିସର୍ଚ୍ଚସ୍କଲାରମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ଆୟୋଗ ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ ଓ ଆଇକ୍ୟୁଏସି ସଂଯୋଜିକା ଡ. ଦିପ୍ତୀ ରାୟ, କଲେଜ ବାଣିଜ୍ୟ ବିଭାଗ ଅଧ୍ୟାପକ ମନୋଜ ପ୍ରଧାନ, ବାବୁଲା ବେହେରା, ଗିରିଶ କୁମାର ସାହୁ, ସୁକାନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।










