ଚେନ୍ନାଇ: ନେଦରଲାଣ୍ଡ୍ସକୁ ୯୩ ରନ୍ରେ ମାତ୍ ଦେଇ ଆମେରିକା ଚଳିତ ଟି-୨୦ ବିଶ୍ୱକପ୍ରେ ବିଜୟ ସ୍ୱାଦ ଚାଖିଛି। ଶୁକ୍ରବାର ସ୍ଥାନୀୟ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଗ୍ରୁପ୍-ଏ’ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ଆମେରିକା ୧୯୭ ରନ୍ର ଲକ୍ଷ୍ୟ ଦେଇଥିଲା। ଜବାବରେ ଡଚ୍ ଟିମ୍ ୧୫.୫ ଓଭର୍ରେ ୧୦୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଏହା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ରେ ନେଦରଲାଣ୍ଡ୍ସ ବିପକ୍ଷରେ ଆମେରିକାର ପ୍ରଥମ ବିଜୟ। ସେହିପରି ଟି-୨୦ ବିଶ୍ୱକପ୍ରେ କୌଣସି ଆସୋସିଏଟ୍ ଟିମ୍ର ରନ୍ ହିସାବରେ ସବୁଠୁ ବଡ଼ ବିଜୟ।
ଲକ୍ଷ୍ୟର ପିଛା କରୁଥିବା ନେଦରଲାଣ୍ଡ୍ସ ଟିମ୍ ପ୍ରଥମରୁ ହିଁ ୱିକେଟ୍ ହରାଇଥଲା। ବାସ୍ ଡି ଲିଡେ ଟିମ୍ ପକ୍ଷରୁ ସର୍ବାଧିକ ୨୩ ରନ୍ କରିଥିଲେ। ଏହା ବ୍ୟତୀତ କ୍ୟାପ୍ଟେନ୍ ସ୍କଟ୍ ଏଡ୍ୱାର୍ଡ୍ସ (୨୦ ରନ୍), ମ୍ୟାକ୍ସ ଓ’ଡାଡ୍ (୧୩ ରନ୍) ଏବଂ ରୁଲୋଫ୍ ଭାନ୍ ଡର୍ ମର୍ଭ (୧୦ ରନ୍) ଦୁଇଅଙ୍କରେ ପହଞ୍ଚିବାରେ ସଫଳ ହୋଇଥିଲେ। ଆମେରିକା ପକ୍ଷରୁ ସ୍ପିନର୍ ହରମିତ୍ ସିଂହ ୪ ୱିକେଟ୍ ଅକ୍ତିଆର କରିଥିଲେ। ଫାଷ୍ଟ୍ ବୋଲର୍ ଶେଡ୍ଲି ଭାନ୍ ଶଲ୍କୱିକ୍ ମଧ୍ୟ ତିନିଟି ସଫଳତା ହାସଲ କରିଥିଲେ। ମହମ୍ମଦ ମୋହସିନ୍ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ନୋସ୍ଥୁଶ କେଞ୍ଜିଗେ ଗୋଟିଏ ୱିକେଟ୍ ପାଇଥିଲେ। ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆମେରିକା ୬ ୱିକେଟ୍ରେ ୧୯୬ ରନ୍ କରିଥିଲା। ସୈତେଜା ମୁକମଲ୍ଲା ୫ ଚୌକା ଓ ୪ ଛକା ସହାୟତାରେ ୫୧ ବଲ୍ରେ ୭୯ ରନ୍ର ଇନିଂସ୍ ଖେଳିଥିଲେ। ସେହିପରି ଶୁଭମ ରଞ୍ଜନେ ୨୪ ବଲ୍ରେ ଅପରାଜିତ ୪୮ ରନ୍ର ଯୋଗଦାନ ଦେଇଥିଲେ। ଏଥିରେ ତାଙ୍କର ୩ ଚୌକା ଓ ୨ ଛକା ସାମିଲ ଥିଲା। କ୍ୟାପ୍ଟେନ୍ ମୋନାଙ୍କ ପଟେଲ୍ (୩୬ ରନ୍) ଓ ଶାୟନ୍ ଜାହାଙ୍ଗୀର (୨୦ ରନ୍) ମଧ୍ୟ ଉପଯୋଗୀ ଇନିଂସ୍ ଖେଳିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ବାସ୍ ଡି ଲିଡେ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଫ୍ରେଡ୍ କ୍ଲାସେନ୍, କାଇଲ୍ କ୍ଲେନ୍ ଓ ଲୋଗାନ୍ ଭାନ୍ ବିକ୍ଙ୍କୁ ୧-୧ ସଫଳତା ମିଳିଥିଲା।










