ଭୁବନେଶ୍ୱର: ଚଳିତ ବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆସନ୍ତା ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ କଳା ବିଭାଗରେ ୨ ଲକ୍ଷ ୫୬ ହଜାର ୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବାଣିଜ୍ୟ ବିଭାଗରେ ୨୪ ହଜାର ୬୨୧ ଜଣ ଏବଂ ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୪ ହଜାର ୩୬୩ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ମୋଟ୍ ଆକାରରେ ୪ ଲକ୍ଷ ୧୬ ହଜାର ୬୨୩ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍ ହେବା ସହିତ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହିତ ୭ଟି ଉପ- କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ୧୮ ଫେବୃଆରୀରୁ ଆରମ୍ଭ ହୋଇ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ ୨୩ ଦିନ ଧରି ଚାଲିବ।
ପରୀକ୍ଷା ସୁପରିଚାଳନା ନେଇ +୨ ପରିଷଦ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗ ରୁମରୁ ନୋଡାଲ କେନ୍ଦ୍ର ଗୁଡିକୁ ଡେସ୍ପାଚ୍ ଟିମ୍ ସହିତ ଶସ୍ତ୍ରଧାରୀ ଆରକ୍ଷୀ କର୍ମଚାରୀ ନିୟୋଜିତ ରହିବାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରଗୁଡିକରେ ସୁଚାରୁରୂପେ ପରୀକ୍ଷା ପରିଚାଳନା, ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି। ସମସ୍ତ ନୋଡାଲ କେନ୍ଦ୍ର ଏବଂ ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଗ୍ରହଣରୁ ଆରମ୍ଭ କରି ଉତ୍ତର ପୁସ୍ତିକା ସଂଗ୍ରହ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରଖାଯିବ। ବିଶେଷକରି ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲୋକ୍ଟ୍ରାନିକ ଉପକରଣ ବ୍ୟବହାର ନିଷିଦ୍ଧ କରାଯାଇଛି। ପରୀକ୍ଷା ପରିଚାଳନା ସଂପର୍କିତ ନିୟମ ବା ବିଧାନର ଉଲଙ୍ଘନ ହେଲେ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ୍ ୧୯୮୮ ଏବଂ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏନେଇ +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି ଯେ, “ପରୀକ୍ଷା ପାଇଁ ଯେଉଁ ଗାଇଡ୍ ଲାଇନ୍ ରହିଛି ତାହା କିଭଳି ଭାବେ ସୁରୁଖୁରରେ କରାଯିବ ସେନେଇ ବ୍ୟବସ୍ଥା କରାଯାଉଛି। ପ୍ରଶ୍ନପତ୍ର ଲିକ୍ ହେବା ସମ୍ଭବ ନୁହେଁ କିନ୍ତୁ ତାହାକୁ ସୁରକ୍ଷିତ ରଖିବା ପାଇଁ ଏଆଇ କ୍ୟାମେରା ରହିଛି। ଯାହା ୨୪ ଘଣ୍ଟା ଧରି କାମ କରିବ। ଏହାର ଅପରେଟିଂ ଉଚ୍ଚ ମାଧ୍ୟମିକ କାର୍ଯ୍ୟାଳୟରେ ରହିବ। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପିଲାମାନଙ୍କ ଖାତା ଅନଲାଇନରେ ଇଭାଲ୍ୟୁସେନ କରାଯାଉଛି, ତେଣୁ ସେମାନେ ବ୍ଲାକ ବଲ୍ ପଏଣ୍ଟ ପେନରେ ଲେଖିବେ। କିନ୍ତୁ ବାକି ବିଭାଗର ପରୀକ୍ଷା ଆଦିର ପିଲାମାନେ, ଯେକୌଣସି ପେନ୍ରେ ଲେଖିବା କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସେହିପରି କିଛି କଲେଜର ଅଧ୍ୟକ୍ଷଙ୍କ କହିବା ଅନୁସାରେ, ପରୀକ୍ଷା ସମୟରେ ଗେଟ୍ ରେ ଚେକିଂ ଯୋରଦାର କରାଯିବ। ପରୀକ୍ଷାର୍ôଥମାନେ କେବଳ ପାଣି ବୋଟଲ ନେଇକି ଆସିବେ। ଘଣ୍ଟା ଓ ମୋବାଇଲ ଫୋନ୍ ଆଣିବେ ନାହିଁ। ସାଙ୍ଗରେ ଆଡମିଟ୍ କାର୍ଡ, ପେନ୍ ସହିତ କେନ୍ଦ୍ରକୁ ଆସିବେ।










