ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭାଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ପ୍ରବର୍ତ୍ତିତ ଧାରା ଅନୁରୂପ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ଦୁଇଦିନିଆ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ନରୱକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କର୍ଣ୍ଣାଟକର ବାଚସ୍ପତି ଶ୍ରୀ ୟୁ.ଟି. ଖାଦିର ଫରିଦ୍ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିଷଦ ଭାବେ ବ୍ୟାଖ୍ୟା କରିବା ସହ ନାଗାଲାଣ୍ଡର ବାଚସ୍ପତି ଶ୍ରୀ ସାରିଙ୍ଗେନ୍ ଲଙ୍ଗକୁମେର ଏହାର ପ୍ରଭାବ ଓ ଭବିଷ୍ୟତ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଯୋଗଦେଇ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଦଶମ ଅନୁସୂଚୀ ଯାହାକି ଦଳବଦଳ ନିରୋଧ ଆଇନ ଭାବେ ପରିଗଣିତ । ଏହା ୧୯୮୫ ମସିହାରେ ଆମ ସମ୍ବିଧାନର ୫୨ତମ ସଂଶୋଧନରେ ଲାଗୁ କରାଯାଇଛି । ଏହା ଦ୍ୱାରା ‘ଆୟା ରାମ, ଗୟା ରାମ’ ଭଳି ଏକ ଖରାପ ପରମ୍ପରାକୁ ପ୍ରତିହତ କରାଯାଉଛି । ଏହା ଦ୍ୱାରା ନିର୍ଦ୍ଦିଷ୍ଟ ଦଳ ମଧ୍ୟରେ ଘଟୁଥିବା ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ କ୍ଷେତ୍ରରେ ବହୁମାତ୍ରାରେ ଅଙ୍କୁଶ ଲାଗିପାରୁଛି । ପୂର୍ବରୁ ବିଧାୟକମାନେ ନିଜର ବ୍ୟକ୍ତିଗତ ଲାଭ ପାଇଁ ସମସ୍ତ ନୀତି ଓ ନୈତିକତା ତଥା ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ କୁଠାରାଘାତ କରିଥାଆନ୍ତି । କିନ୍ତୁ ସମ୍ବିଧାନ ସଂଶୋଧନ ଫଳରେ ଏସବୁ କ୍ଷେତ୍ରରେ ଏକ ଲକ୍ଷ୍ମଣରେଖା ରହିପାରୁଛି । ଦଶମ ଅନୁସୂଚୀ ଅନୁଯାୟୀ ଦଳ ବଦଳକାରୀ ତଥା ଦଳଡିଆଁ ବିଧାୟକ ଓ ସାଂସଦମାନଙ୍କୁ ନିର୍ଦ୍ଦିଷ୍ଟ ଦଳରୁ ନିଲମ୍ବନ କରିବା ସହ ସଭ୍ୟପଦ ରଦ୍ଦ କରାଯାଇ ପାରୁଛି । ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ ୯୧ତମ ସମ୍ବିଧାନ ସଂଶୋଧନରେ ଏହି ବ୍ୟବସ୍ଥାକୁ ଆହୁରି କଠୋର ଓ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
ଏ କ୍ଷେତ୍ରରେ ୨୦୨୩ ମସିହାର ଆମର ସର୍ବୋଚ୍ଚ ନ୍ୟାୟାଳୟ ଦଳବଦଳ କ୍ଷେତ୍ରରେ ବାଚସ୍ପତିଙ୍କୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ଦଳୀୟ ସମ୍ବିଧାନ ଅନୁଯାୟୀ ନିର୍ଦ୍ଦିଷ୍ଟ ଦଳରେ କେଉଁ ବିଭାଜିତ ଗୋଷ୍ଠୀ ସେହି ପ୍ରକୃତ ରାଜନୈତିକ ଗୋଷ୍ଠୀର ନା ନୁହେଁ, କେବଳ ବିଧାନସଭା ଗୃହରେ ବହୁମତଧାରୀ ସଦସ୍ୟ ଭାବେ ପ୍ରକୃତରେ ମୂଳ ଦଳ ନା ନୁହେଁ । ଏ ସମ୍ପର୍କରେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ । ତେବେ ଏ କ୍ଷେତ୍ରରେ ସମ୍ବିଧାନ ତଥା ଆଇନର ବିଶାରଦମାନଙ୍କୁ ନେଇ କମିଟି ଗଠନ କରାଯାଇ ଏସବୁ ଆହ୍ୱାନର ମୁକାବିଲା ଦିଗରେ ସୁଚିନ୍ତିତ ପରାମର୍ଶ ଓ ପଦକ୍ଷେପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ଓ ଆଗାମୀ ଦିନରେ ଏହାକୁ କିପରି ଗଣତାନ୍ତ୍ରିକ ପରମ୍ପରାରେ ସୁରକ୍ଷିତ ରଖାଯାଇ ପାରିବ ଏ ଦିଗରେ ଯନିବାନ ହେବା ଆବଶ୍ୟକ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତ ଉପସ୍ଥାପନ କରିଛନ୍ତି । ପରବର୍ତ୍ତୀ ସମୟରେ ୨୦୨୬ ମସିହା ଅପ୍ରେଲ ମାସ ୨୦ ଓ ୨୧ ତାରିଖରେ ଭୁବନେଶ୍ୱର କିମ୍ବା ପୁରୀଠାରେ କମିଟିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ସହମତି ପ୍ରକାଶ ପାଇଥିବାବେଳେ ଆଗାମୀ ୮ ମାସ ମଧ୍ୟରେ କମିଟିର ରିପୋର୍ଟ ଲୋକସଭାର ବାଚସ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ମହାରାଷ୍ଟ୍ର ବିଧାନସଭାଠାରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବାଚସ୍ପତିଙ୍କ ସହ ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ବିଧାନସଭା ଗବେଷଣା ଶାଖାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଛନ୍ତି ।










