ଭୁବନେଶ୍ୱର: ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିମଧ୍ୟରୁ ୭ଟି ଆମ୍ବୁଲାନ୍ସରେ ରହିଛି ଆଡ୍ଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା । ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ । ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ଏୟାରସ୍ଟ୍ରିପ୍ରେ ବ୍ୟବହାର ପାଇଁ ୫ ଟି ଏଏଲ୍ଏସ୍ ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ୍ ପାଇଁ ୨ ଟି ଏଏଲ୍ଏସ୍ ଆମ୍ବୁଲାନ୍ସ ବ୍ୟବହାର କରାଯିବ।










