25.1 C
Bhubaneswar
Saturday, February 7, 2026
Homeଓଡିଶାରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ: ବିଜେଡି

ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଗୌରୀକ କରଣ କରିବାପାଇଁ ଉଦ୍ୟମ କରାଯାଉଛି, ଯେଉଁଥିପାଇଁ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ, ଦଳର ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ, ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ, ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।ଡ଼ ଅରୁଣ ସାହୁ କହିଥିଲେ, ୨୦୨୦ ମସିହାରେ କିଛି ଅସଙ୍ଗତିକୁ ଦୂର କରିବା ପାଇଁ, ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ସରକାର ଆଣିଥିଲେ । ଏହାଛଡା ତକ୍ରାଳୀନ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ପ୍ରସ୍ତାବକ୍ରମେ ଓପିଏସସିକୁ ଉଚ୍ଚଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତିର ଦାୟିତ୍ୱ ଦିଆଯାଇଥିଲା । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ, ୨୦୨୪ ମସିହାରେ ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ଆଣିଥିଲେ । ଏହାପରେ, ୨୦୨୫ ମସିହା ବେଳକୁ ଆଉଥରେ ଆମେଣ୍ଡମେଣ୍ଟ ବିଲ୍ ଆଣିଲେ । ଏହି ସଂଶୋଧନ ବିଲ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ମନୋନାୟନ ନିୟମରେ ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ଯୋଗ୍ୟତା ଭିତିରେ ମନୋନୟନ କରାଯାଉଥିବା ବେଳେ ନୂଆ ନିୟମ ଅନୁଯାୟୀ ପର୍ସନ ଅଫ ଏମିନେନ୍ସଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି କୁହାଯାଇଛି । ପରିବର୍ତ୍ତିତ ନିୟମ ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟପାଳଙ୍କ ପାଖକୁ ତିନୋଟି ନାମର ପ୍ରସ୍ତାବ ରଖିବେ ଓ ସେହି ତିନି ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ମନୋନାୟନ କରିବେ । ତେଣୁ ଏପରି ବ୍ୟବସ୍ଥାରେ ସ୍ୱଛତା ରହିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି । କେଉଁ ଆଧାରରେ ରାଜ୍ୟ ସରକାର ତିନି ଜଣଙ୍କୁ ବାଛିବେ, ସେନେଇ କୌଣସି ସ୍ପଷ୍ଟତା ନଥିବାରୁ, କେବଳ ଗୌରୀକ ବିଚାରରେ ଥିବା ବ୍ୟକ୍ତିଙ୍କୁ ହିଁ ମନୋନୀତ କରାଯିବ ବୋଲି ସ୍ପଷ୍ଟ ଜଣାପଡୁଛି । ଏପରି ବ୍ୟବସ୍ଥାରେ, ନିରପେକ୍ଷ ଭାବେ ନିଯୁକ୍ତି ଦେବା ସମ୍ଭବ ନୁହେଁ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୧୮ ମାସ ପୂରିଗଲା କିନ୍ତୁ ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ହୋଇ ପାରିଲା ନାହିଁ । ପୂର୍ଣ୍ଣକାଳୀନ କୁଳପତି ନଥିବାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂକଟାପନ୍ନ ହୋଇ ପଡିଛି । କୁଳପତି ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ଆଗକୁ ଚାଲିବା ପରିବର୍ତ୍ତେ ପଛକୁ ଚାଲୁଛନ୍ତି । ତେଣୁ ତୁରନ୍ତ କୁଳପତି ପଦବୀରେ ନିଯୁକ୍ତି ଦିଆଯାଉ ବୋଲି ଡ଼ ସାହୁ କହିଥିଲେ ।

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏବେ କୋମାରେ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଜୁଲାଇ ୨୦୨୫ ସୁଦ୍ଧା, ଏହି ନିଯୁକ୍ତି କାର୍ଯ୍ୟ ଶେଷ ହୋଇଯିବା କଥା । କିନ୍ତୁ, ଆଜି ପର୍ଯ୍ୟନ୍ତ ଏହା ହୋଇ ପାରିଲା ନାହିଁ । କୁଳପତି ନିଯୁକ୍ତିରେ ଏହି ଅହେତୁକ ବିଳମ୍ୱ କଣ ପାଇଁ ହେଉଛି, ତାହା ରାଜ୍ୟ ସରକାରଙ୍କୁ ଜଣା । କିନ୍ତୁ, ରାଜ୍ୟ ସରକାରଙ୍କ ଅପାରଗତା ସ୍ୱଛତା ଅଭାବ କାରଣରୁ ଏହି ନିଯୁକ୍ତି ହୋଇ ପାରୁନାହିଁ । ଏହି ବିଶ୍ୱବିଦ୍ୟାଳୟ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ, ରାଜ୍ୟ ସରକାରଙ୍କର ସେଥିପ୍ରତି ଖାତିରି ନାହିଁ । ୨୦୨୦ର ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଅନୁଯାୟୀ ସ୍ୱଛତାର ସହିତ ନିଯୁକ୍ତି ହୋଇ ପାରୁଥିବା ବେଳେ ନୂତନ ସଂଶୋଧନ ବ୍ୟବସ୍ଥାରେ ନିଯୁକ୍ତିରେ ସ୍ୱଛତା ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାଛଡା, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୭୦୬ଟି, ଆସୋସିଏଟ ପ୍ରଫେସର ପାଇଁ ୪୫୮ଟି, ପ୍ରଫେସର ପାଇଁ ୨୬୧ଟି ଓ ନନ୍ ଟିଚିଙ୍ଗରେ ୨୩୨୫ ପଦବୀ ଖାଲି ପଡିଛି । ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ଏହି କୁଳପତି ପଦବୀ ଗୁଡିକ ପୂରଣ ନହେଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସାହୁ କହିଥିଲେ ।ଦଳର ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ରାଜ୍ୟ ସରକାର ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନରେ ବ୍ୟସ୍ତ ଅଛନ୍ତି । ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ପୂର୍ଣ୍ଣ କରିବାକୁ ସରକାରଙ୍କ ପାଖରେ ସମୟ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ କୁଳପତି ନାହାନ୍ତି । ଓଡ଼ିଆ ଅସ୍ମିତା ଦ୍ୱାହିଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତିଟିଏ ନିଯୁକ୍ତି ଦେଇ ପାରୁ ନାହାନ୍ତି । କିନ୍ତୁ, ସରକାର ମିଛ ସଫଳତା କାହାଣୀ ବଖାଣିବା ପାଇଁ କୋଟି କୋଟି ଟଙ୍କା ପ୍ରଚାରରେ ଖର୍ଚ୍ଚ କରୁଛନ୍ତି । ତେଣୁ, ତୁରନ୍ତ ୧୩ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦିଅନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ଆନେ୍ଦାଳନକୁ ଓହ୍ଲାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking